ନବରଙ୍ଗପୁର,ଏନ୍ଏନ୍ଏସ: ସ୍ଥାନୀୟ ଜିଲ୍ଲା ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଶାଖାର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଡ଼ୋଶୀ ଜିଲ୍ଲା କୋରାପୁଟ ଓ କଳାହାଣ୍ଡିର ଶାଖା ସମ୍ପାଦକ ସୁକାନ୍ତ ମହାପାତ୍ର ଓ ଶଶିଭୂଷଣ ଦାଶ, ରାଜ୍ୟ ଉପଦେଷ୍ଟା ରୂପକେଶରି ଦଳେଇ ଅତିଥିଭାବେ ଯୋଗ ଦେଇଥିଲେ । ଜିଲ୍ଲା ଅମଲାଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ ଦିନକୁଦିନ ଅସହ୍ୟ ହେବାକୁ ଦୃଷ୍ଟିରେ ରଖିô ସଂଘ ଦେଇଥିବା ଭୁବନେଶ୍ୱର ଚାଲ ଡାକରାକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ବୈଠକ ବସିଥିଲା । ଶାଖା ସଭାପତି ବୁଲୁ ହୋତା ଏସମ୍ପର୍କରେ ସୂଚନା ଦେଇ ଆଗାମୀ ଦିନରେ କେବିକେ ଜିଲ୍ଲାଗୁଡ଼ିକୁ ଅଣ୍ଟାଭିଡ଼ି ରହିବାକୁ ଅନୁରୋଧ କରିଥିଲେ । ଏହି ଆନ୍ଦୋଳନକୁ ରାଜ୍ୟ ରାଜକୋଷ ସଂଘ ସହିତ ଅନ୍ୟ ସଂଘମାନେ ସହଯୋଗର ହାତ ବଢ଼ାଇଛନ୍ତି । ସରକାର ଯଦି ସମୟ ପୂର୍ବରୁ ସମସ୍ୟାର ସମାଧାନ ନକରନ୍ତି ତେବେ ୩୦ଟି ଜିଲ୍ଲାର ଅମଲା ପ୍ରତି ଜିଲ୍ଲାର ଅର୍ଥ ବ୍ୟବସ୍ଥା ସହିତ ପରିଚାଳନାରେ ବ୍ୟାଘାତ ସୃଷ୍ଟି କରିବା ନିଶ୍ଚିତ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ବିଭିନ୍ନ ବିଭାଗର ମୁଖ୍ୟ ଏମ ବାଳକୃଷ୍ଣ ରାଓ, ରଞ୍ଜିତ ଷଡ଼ଙ୍ଗୀ, ବ୍ରଜ କିଶୋର ମିଶ୍ର, ଅରୁଣ ରଥ, ଦିଲ୍ଲୀପ ସାହୁଙ୍କ ସମେତ ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି ଶାଖା ସଂଘ ସଦସ୍ୟମାନେ ଯୋଗ ଦେଇଥିଲେ ।