ରାଜ୍ୟ ଚାରୁକଳା ପୁରସ୍କାର ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଲଳିତ କଳା ଏକାଡେମୀର ୨୦୨୦-୨୧ ମସିହା ପାଇଁ ରାଜ୍ୟ ପୁରସ୍କାର ମଙ୍ଗଳବାର ଘୋଷଣା କରାଯାଇଛି। ଚଳିତବର୍ଷ ୩୯ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ୫୧୫ଜଣ ଶିଳ୍ପୀଙ୍କଠାରୁ ୮୨୯ଟି କଳାକୃତି ଫଟୋଗ୍ରାଫ୍ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରଥମ ପର୍ଯ୍ୟାୟ ବିଚାରକ ମଣ୍ଡଳୀଙ୍କ ସୁପାରିସ ଅନୁସାରେ ୨୩୭ଜଣ ଶିଳ୍ପୀ ସେମାନଙ୍କର କଳାକୃତି ଏକାଡେମୀ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ବିଚାରକ ମଣ୍ଡଳୀ ତନ୍ମଧ୍ୟରୁ ୮ ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କୃତିପାଇଁ ପୁରସ୍କାର ପ୍ରଦାନ ନିମନ୍ତେ ସୁପାରିସ କରିଥିଲେ। ଭାଷ୍କର୍ଯ୍ୟରେ ବିଶ୍ୱରଞ୍ଜନ କର ଏବଂ ସୁଧିରଞ୍ଜନ ମହାରଥା, ମୁଦ୍ରଣ କଳାରେ ସୁଜିତ କୁମାର ସ୍ୱାଇଁ, ଡ୍ରଇଁରେ ବିକାଶ ଚନ୍ଦ୍ର ସେନାପତି, ଜଳରଙ୍ଗରେ ସୂର୍ଯ୍ୟକାନ୍ତ ସ୍ୱାଇଁ, ଚିତ୍ରରେ ଅନୁପ କୁମାର ଚାନ୍ଦ, ଜ୍ୟୋତିପ୍ରକାଶ ସେଠୀ, ପାରମ୍ପରିକ ଚିତ୍ରରେ ପ୍ରମୋଦ କୁମାର ମହାରଣାଙ୍କୁ ଏଥିପାଇଁ ଚୟନ କରାଯାଇଛି।

ଚଳିତମାସ ଶେଷସୁଦ୍ଧା ଏକ ସ୍ୱତନ୍ତ୍ର ଉତ୍ସବରେ ମନୋନୀତ ଶିଳ୍ପୀମାନଙ୍କୁ ୨ଲକ୍ଷ ଟଙ୍କା ପୁରସ୍କାର ରାଶି, ତାମ୍ର ଫଳକ, ପ୍ରମାଣପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏହି ଅବସରରେ ଏକାଡେମୀ ତରଫରୁ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିଗୁଡ଼ିକର ଏକ ରଙ୍ଗୀନ ଚିତ୍ରପୁସ୍ତିକା ମଧ୍ୟ ଉନ୍ମୋଚନ କରାଯିବ। ଉକ୍ତ ନାମଗୁଡ଼ିକ ପରେ ପରେ ଏକାଡେମୀର କାର୍ଯ୍ୟକ୍ରମ ସମିତି ସଦସ୍ୟ ପଞ୍ଚାନନ ସାମଲ, ଅକ୍ଷୟ କୁମାର ସାମଲ, ଶ୍ୟାମସୁନ୍ଦର ମେହେରଙ୍କ ଦ୍ୱାରା ଅନୁମୋଦିତ ହୋଇ ଘୋଷଣା କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏକାଡେମୀରେ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଏସ୍ଡି ମନସ୍ୱିନୀ ସାହୁ, ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।