ଆଇପିଏଲ୍ ଖେଳିବାରେ ଓଡ଼ିଶାର ପ୍ରଥମ କ୍ରିକେଟର ନେଲେ ଅବସର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ରଣଜୀ କ୍ରିକେଟ ଦଳର ଅଧିନାୟକ ହଳଧର ଦାସ ସମସ୍ତ ପ୍ରକାର କ୍ରିକେଟ ଖେଳରୁ ଅବସର ଗ୍ରହଣ କରିଛନ୍ତି। ଜଣେ ଦକ୍ଷ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଓଡ଼ିଶା କ୍ରିକେଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିି କରିଥିବା ଢେଙ୍କାନାଳ ଜିଲ୍ଲାର ହଳଧର ପ୍ରଥମ ଓଡ଼ିଆ ଖେଳାଳି ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳିବାର ଗୌରବ ଅର୍ଜନ କରିଥିଲେ।

ତତ୍କାଳୀନ ଡେକ୍କାନ ଚାର୍ଜର୍ସ ପକ୍ଷରୁ ଖେଳି ଓଡ଼ିଶାରେ କ୍ରେଜ୍ ସୃଷ୍ଟି କରିଥିବା ଏହି ଯୁବ ଖେଳାଳି ତାଙ୍କ ପ୍ରତିଭାର ଉପଯୁକ୍ତ ମୂଲ୍ୟାୟନ କରିବାରେ ଅସମର୍ଥ ହୋଇଥିଲେ। ଫଳରେ ସେ ଆଇପିଏଲରେ ଗୋଟିଏ ମ୍ୟାଚ୍ ଖେଳିବାରେ ସମର୍ଥ ହୋଇଥିଲେ। ହାଇଦ୍ରାବାଦର ଉପ୍ପଲ ଷ୍ଟାଡିୟମରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଖେଳି ସେ ୫ଟି ବଲରେ ୨ ରନ୍ କରିଥିଲେ। ଏହାପରେ ଆଇପିଏଲ ତାଙ୍କ ଲାଗି ଅପହଞ୍ଚ ହୋଇପଡ଼ିଥିଲା।

ଓଡ଼ିଶା କ୍ରିକେଟ ଆସୋସିଏସନକୁ ଏକ ଧାଡିକିଆ ବାକ୍ୟ ‘ମୁଁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରୁଛି ଓ ଏହା ତତକାଳୀନ ଲାଗୁ କରିବାକୁ ଅନୁରୋଧ କରୁଛି’ ବୋଲି ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଥିଲେ। ହଠାତ୍ ଅବସର ନେବା ପରେ ଏହି ୩୩ ବର୍ଷୀୟ ପ୍ରତିଭାବାନ ଖେଳାଳି ଓଡ଼ିଶା କ୍ରିକେଟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିବାକୁ ଯାଉଛନ୍ତି ବୋଲି ଆଶା କରାଯାଉଛି।

ଢେଙ୍କାନାଳ ଜିଲ୍ଲାର ଖେଳାଳି ହୋଇଥିଲେ ମଧ୍ୟ ହଳଧର କଟକର ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ଆଶୀର୍ବାଦ ବେହେରାଙ୍କ ପରିବାର ମାଲିକାନାରେ ରାଇଜିଂ ଷ୍ଟୁଡେଣ୍ଟସ କ୍ଲବ୍ ରହିଛି। ଏହି କ୍ରୀଡ଼ା ପ୍ରଶାସକ ପରିବାରର ଅନ୍ୟତମ ସଦସ୍ୟଭାବେ ସଞ୍ଜୟ ବେହେରା ଏବେ ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉଭୟ ସଞ୍ଜୟ ଏବଂ ହଳଧରଙ୍କ ମଧ୍ୟରେ ବେଶ ମଧୁର ବନ୍ଧୁତା ରହିଛି। ଏହି ବନ୍ଧୁତାକୁ ରାଜ୍ୟ କ୍ରିକେଟର ଉନ୍ନତିରେ ଲାଗୁ କରିବା ଲାଗି ହଳଧର ଏପରି ନିଷ୍ପତ୍ତିି ନେଇଥିବା କୁହାଯାଉଛି।