ସରକାରଙ୍କ ମତ୍ସ୍ୟନୀତି ଓଡ଼ିଶା ପାଇଁ ବରଦାନ

ଭୁବନେଶ୍ୱର,୧ା୯/ଏନ୍ଏନ୍ଏସ୍: ମତ୍ସ୍ୟ ସଂପଦର ବିକାଶ ଓ ବ୍ୟବସାୟ କ୍ଷେତ୍ରରେ ଓଡ଼ିସା ପାଇଁ ଆଗାମୀ ଦିନରେ ଏକ ସୁନେଲୀ ଭବିଷ୍ୟତ ରହିଛି। ନିକଟ ଅତୀତରେ ରାଜ୍ୟ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲା ବେଳେ ଆଗାମୀ ଦିନରେ ଏହା ରାଜ୍ୟ ପାଇଁ ଏକ ବିରାଟ ସୁଯୋଗ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ନିକଟରେ ଆଇସିଏଆର୍-ସିଫା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ମତ୍ସ୍ୟଚାଷରେ ଆଗାମୀ ଦିନରେ ଭବିଷ୍ୟତ ସମ୍ପର୍କରେ ବିଶଦ୍ ଆଲୋଚନା ହୋଇଥିଲା। ବର୍ତ୍ତମାନ ସମୟରେ ଦେଶରେ ମତ୍ସ୍ୟ ଶିଳ୍ପ କ୍ଷେତ୍ରରେ ରାଜ୍ୟ ପାଇଁ ଏକ ବିରାଟ ସୁଯୋଗ ସୃଷ୍ଟି ହୋଇଛି। ତେବେ ଏହି ଶିଳ୍ପରେ ଅଧିକରୁ ଅଧିକ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ ହୋଇପାରିଲେ ଓଡ଼ିଶା ଅଧିକ ସମୃଦ୍ଧିଶାଳୀ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ବର୍ତ୍ତମାନ ରାଜ୍ୟରେ ପ୍ରତି ହେକ୍ଟର ପିଛା ହାରାହାରି ୨ରୁ ୩ ଟନ ମାଛ ଉତ୍ପାଦନ ହେଉଛି। ମାତ୍ର ଉନ୍ନତ ଜ୍ଞାନକୌଶଳ ତଥା ଆଧୁନିକ କୃଷି ପ୍ରଣାଳୀକୁ ଉପଯୋଗ କରିଲେ ଏହା ହେକ୍ଟର ପିଛା ୯ରୁ ୧୦ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇ ପାରିବ। ଅନ୍ତତଃପକ୍ଷେ ଓଡ଼ିଶାର ମତ୍ସ୍ୟଚାଷୀ ମାନେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କଲେ ବାର୍ଷିକ ହେକ୍ଟର ପିଛା ୫ ଟନ୍ ପର୍ଯ୍ୟନ୍ତ ମତ୍ସ୍ୟ ଉତ୍ପାଦନ କରିପାରିବେ। ରାଜ୍ୟରେ ବର୍ତ୍ତମାନ ଚିଙ୍ଗୁଡ଼ି ଜାତୀୟ ମତ୍ସ୍ୟ ଉତ୍ପାଦନ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଥିବା ବେଳେ, ବ୍ୟବସ୍ଥିତ ଢଙ୍ଗରେ ଏହାକୁ କାର୍ଯ୍ୟକାରୀ କରିପାରିଲେ ଖୁବ୍ଶୀଘ୍ର ଓଡ଼ିଶା ବିଶ୍ୱର ଶ୍ରେଷ୍ଠ ଚିଙ୍ଗୁଡ଼ି ଉତ୍ପାଦନକାରୀ ରାଜ୍ୟରେ ପରିଣତ ହୋଇପାରିବ। ୨୦୧୬ ମସିହାରେ ଭାରତ ସର୍ବମୋଟ ୪୩୮,୫୦୦ ଟନ୍ ଚିଙ୍ଗୁଡ଼ି ଉତ୍ପାଦନ କରିଥିବା ବେଳେ ଏହା ବାର୍ଷିକ ୧୪.୫ ପ୍ରତିଶତ ହାରରେ ବୃଦ୍ଧି ପାଉଛି ବୋଲି ଖାଦ୍ୟ ଏବଂ କୃଷି ସଂଗଠନ(ଫାଓ) ନିଜର ଏକ ରିପୋର୍ଟରେ ଦର୍ଶାଇଥିଲା। ଏବଂ ଦେଶରେ ଚିଙ୍ଗୁଡ଼ି ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ଅଗ୍ରଣୀ ଭୂମିକା ହାସଲ କରିଥିବା ନେଇ ଉକ୍ତ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମଧ୍ୟ ମତ୍ସ୍ୟ ସମ୍ପଦର ବିକାଶ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ଓଡ଼ିଶାକୁ ଏଗ୍ରିକଲଚର ଲିଡରଶିପ୍ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଅଛି। ରାଜ୍ୟରେ ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ୨୦୧୫ ମସିହାରେ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମତ୍ସ୍ୟ ନୀତି ପ୍ରଣୟନ କରିଥିଲେ। ଯାହାର ସୁଫଳ ବର୍ତ୍ତମାନ ରାଜ୍ୟକୁ ମିଳୁଥିବା ଚର୍ଚ୍ଚା ହେଉଛି। ମତ୍ସ୍ୟ ସମ୍ପଦର ବିକାଶରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ମତ୍ସ୍ୟଜୀବୀଙ୍କର ଆର୍ଥିକ ବିକାଶ ସହ ବୈଦେଶିକ ମୁଦ୍ରା ଅର୍ଜନ ୨୦ ହଜାର କୋଟି ଟଙ୍କାକୁ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।