ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ଗିରିଶ ପାଢ଼ୀଙ୍କ ଦେହାନ୍ତ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବୁଗୁଡାର ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟର ଜଣେ ଜଣାଶୁଣା କବି, ସାହିତ୍ୟିକ ଗିରିଶ ପାଢ଼ୀଙ୍କ ଆଜି ୫୪ ବର୍ଷ ବୟସରେ ତାଙ୍କ ବୁଗୁଡ଼ା ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଦୂରାରୋଗ୍ୟ ରୋଗରେ ପୀଡ଼ିତ ଥିଲେ। ସେ “ନିତିଦିନ’ ଖବର କାଗଜର ବୁଗୁଡ଼ା ବ୍ଲକ ସାମ୍ବାଦିକ ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ। ଶେଷ ସମୟରେ ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମଧ୍ୟ ମୋବାଇଲ୍ରେ ନ୍ୟୁଜ୍ ଲେଖି ପଠାଉଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ସାଲିସ୍ ବିହୀନ ସାମ୍ବାଦିକତା ପାଇଁ ସେ ସାମ୍ବାଦିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲେ। କବିତା ପୋଷ୍ଟ କରି ସେ ସୋସିଆଲ ମିଡିଆରେ ସର୍ବଜନ ଆଦୃତ ହୋଇପାରିଥିଲେ। ସେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ଜଣେ ଲଢ଼ୁଆ ସଦସ୍ୟ ଥିବାରୁ ତାଙ୍କ ମୃତ୍ୟୁରେ ସଂଘ ପକ୍ଷରୁ ସଭାପତି ପ୍ରସନ୍ନ ମହାନ୍ତି, ପୂର୍ବତନ ସଭାପତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମରଆତ୍ମାର ସଦଗତି କାମନା କରିଛନ୍ତି। “ନିତିଦିନ’ ବ୍ରହ୍ମପୁର ସଂସ୍କରଣ ପକ୍ଷରୁ ଶୋକସଭା କରାଯାଇ ସ୍ୱର୍ଗତ ପାଢ଼ୀଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି। ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାର ସାମ୍ବାଦିକମାନେ ସ୍ୱର୍ଗତ ପାଢ଼ୀଙ୍କ ବିୟୋଗରେ ଶୋକବାର୍ତ୍ତା ଦେଇ ଅମର ଆତ୍ମାର ସଦଗତି କାମନା କରିଛନ୍ତି।