ଆସନ୍ତା ୨୬ରୁ ଓଡ଼ିଆ ରେଳ ଟିକେଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଗୁରୁବାରଠାରୁ ରାଜ୍ୟରେ ଓଡ଼ିଆ ରେଳ ଟିକେଟ୍ ପ୍ରଚଳନ ହେବାକୁ ଯାଉଛି। ପୂର୍ବରୁ ଉତ୍କଳ ଦିବସରେ ଓଡ଼ିଆ ଭାଷାରେ ରେଳ ଟିକେଟ୍ ପ୍ରଚଳନ ହେବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଥିଲା, ମାତ୍ର ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ବିୟୋଗ ହେତୁ ଏହି ସେବା ବ୍ୟାହତ ହୋଇଥିଲା। ଏବେ ଏହା ବିଦ୍ଧିବଦ୍ଧ ଭାବେ ଆସନ୍ତା ୨୬ ତାରିଖରେ ଆରମ୍ଭ ହେବା ନେଇ ଜନୈକ ବରିଷ୍ଠ ରେଳ ଅଧିକାରୀ ଜଣାଇଛନ୍ତି। ସେହିଭଳି ସେହିଦିନ ନୟାଗଡ଼ରୁ ମହୀପୁର ପର୍ଯ୍ୟନ୍ତ ପରିବର୍ଦ୍ଧିତ ରେଳଲାଇନର ଶୁଭାରମ୍ଭ ମଧ୍ୟ ହେବ।

ପାସେଞ୍ଜର ଟ୍ରେନ୍ ଆସନ୍ତା ଗୁରୁବାର ପରଠାରୁ ନୟାଗଡ଼ରୁ ମହୀପୁର ପର୍ଯ୍ୟନ୍ତ ଯାତ୍ରା କରି ପାରିବ। ଅନ୍ୟପକ୍ଷରେ ଆସନ୍ତା ଗୁରବାର ରାଜଧାନୀ ଏକ୍ସପେସ୍ ବ୍ରାଣ୍ଡିଂ କରାଯିବ ନେଇ ମଧ୍ୟ ଯୋଜନା ରହିଛି। ଓଡ଼ିଶାର ଐତିହ୍ୟ, କଳା ଓ ସଂସ୍କୃତିର ଛବିକୁ ରାଜଧାନୀ ଏକ୍ସପ୍ରେସ୍ରେ ଅଙ୍କା ଯିବା ନେଇ ପ୍ରସ୍ତୁତି ଚାଲିଛି। ଏହାବ୍ୟତୀତ ସପ୍ତାହକୁ ୬ ଦିନ ଗସ୍ତ କରୁଥିବା ଗୁଣୁପୁର-ରାଉରକେଲା ଏକ୍ସପେସ୍କୁ ଆସନ୍ତା ଗୁରୁବାରଠାରୁ ଦୈନିକ ଚାଲୁ କରିବା ପାଇଁ ମଧ୍ୟ ପୂର୍ବତଟ ରେଳବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସମସ୍ତ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଯୋଗ ଦେବାର ସମ୍ଭାବନା ରହିଛି।