ୱେବ୍ ପୋର୍ଟାଲ ‘ଓଡ଼ିଆ ଫଳକ’ର ଉନ୍ମୋଚିତ: ଓଡ଼ିଆରେ ନାମ ଫଳକ ନଲେଖିଲେ ଦେବେ ଜୋରିମାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଭାଷାର ସୁରକ୍ଷା ତଥା ସମୃଦ୍ଧି ପାଇଁ ରାଜ୍ୟ ସରକାର ଆଉ ଏକ ବୃହତ୍ ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ନାମ ଫଳକ ଓଡ଼ିଆରେ ଲେଖାଯିବାକୁ ରାଜ୍ୟ ସରକାର ନିୟମାବଳୀକୁ କଡ଼ାକଡ଼ି କରିଛନ୍ତି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ମଙ୍ଗଳବାର ଖାରବେଳ ଭବନରେ ‘ଓଡ଼ିଆ ଫଳକ’ ନାମକ ଏକ ୱେବ୍ ପୋର୍ଟାଲର ଉନ୍ମୋଚନ କରିଛନ୍ତିି। ନିୟମାନୁଯାୟୀ ଓଡ଼ିଆରେ ନାମ ଫଳକ ନଲେଖିଲେ ପ୍ରଥମ ଥର ହଜାରେରୁ ୫ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଖିଲାପ କଲେ ୨ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୬୫ ଅନୁଯାୟୀ ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟ ଓ ନିୟୋଜନର ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବାର ନିୟମ ରହିଛି। ଏହି ଆଇନ ଅନୁଯାୟୀ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନକୁ ବାଧ୍ୟତାମୂଳକ କରାଯାଇଛି।

ବର୍ତ୍ତମାନ ସମୟରେ ଏହି ଆଇନରେ କଠିନ ଦଣ୍ଡବିଧାନ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଆଇନର ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ ଏମିକି ଯଦି କୌଣସି ଦୋକାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ନିୟମ ଉଲ୍ଲଂଘନ କରନ୍ତି ତାହେଲେ ସାଧାରଣ ଜନତା ଉକ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ବିରୋଧରେ ଅନ୍ଲାଇନରେ ଅଭିଯୋଗ ପତ୍ର ଦାଖଲ କରିପାରିବେ।

ବିଭାଗୀୟ ଅଧିକାରୀମାନେ ଏହାର ସତ୍ୟାସତ୍ୟ ଯାଞ୍ଚ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ଜଣାପଡ଼ିଛି। ସେହିପରି ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ ଜନସାଧାରଣଙ୍କ ଭାଗିଦାରୀ ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଆ ଫଳକର ଆରମ୍ଭ କରାଯାଇଥିବା ବିଭାଗୀୟ ଅଧିକାରୀ ମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ସହରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରି ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଥମ ପର୍ଯୟାୟରେ ୧୦୦ଟି ପ୍ରମୁଖ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରମୁଖ ପ୍ରତିଷ୍ଠାନ ଗୁଡ଼ିକରେ ନାମ ଫଳକ ଓଡ଼ିଆରେ ଲେଖାଯିବା ପାଇଁ ୩୦ ଦିନର ସମୟ ମଧ୍ୟ ପ୍ରଦାନ କରାଯାଇଥିଲା।