‘ଗଦର-୨’ରେ ଓଡ଼ିଆ ପୁଅ ବରୁଣ ବିଶୋଇ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ବଲିଉଡ ଚଳଚ୍ଚିତ୍ର ‘ଗଦର-୨’ରେ ଫିଲ୍ମି ରେକର୍ଡିଷ୍ଟ ଭାବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବରୁଣ ମାଲ ବିଶୋଇ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ଓଡ଼ିଆ ଫିଲ୍ମ ‘ଦମନ’ ସମେତ ବହୁ ଭାଷାରେ ଫିଲ୍ମି ରେକର୍ଡିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି । ସ୍ୱର୍ଗତ ଶ୍ରୀବତ୍ସ ମାଲବିଶୋଇଙ୍କ ତୃତୀୟ ପୁତ୍ର ବରୁଣ ୧୯୯୬ ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ପିତାଙ୍କଠାରୁ ଦରଜି କାମ ଶିଖି ପରିବାର ପୋଷୁଥିଲେ । ୨୦୦୦ ମସିହାରେ ବରୁଣ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଅଧାରୁ ପାଠ ଛାଡ଼ି ଦେଇଥିଲେ । ପରେ ପାଖରେ ରଖିଥିବା ୪୦୦ ଟଙ୍କା ଏବଂ ବନ୍ଧୁଙ୍କଠାରୁ ୫୦୦ ଟଙ୍କା ନେଇ ସ୍ୱପ୍ନ ପୂରଣ କରିବାକୁ ୨୦୦୨ ଜାନୁୟାରୀ ପହିଲାରେ ମୁମ୍ବାଇ ଯାତ୍ରା କରିଥିଲେ । ପ୍ରଥମେ ସେ ନଟରାଜ ଷ୍ଟୁଡିଓରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ ସେଠାରେ କିଛି କାମଧନ୍ଦା ମିଳି ନଥିଲା । ସେଠାକାର ଜଣେ ରାତ୍ରି ଜଗୁଆଳି ତାଙ୍କୁ କ୍ୟାଣ୍ଟିନ ବୟ ଭାବେ କାର୍ଯ୍ୟରେ ନିଯୁକ୍ତି କରାଇଥିଲେ । ସେହି କାର୍ଯ୍ୟ କରିବା ମଧ୍ୟରେ ସେ ଫିଲ୍ମି ରେକର୍ଡ କାର୍ଯ୍ୟ ଶିଖି ପରେ ଆରାଧନା ଷ୍ଟୁଡିଓରେ କାର୍ଯ୍ୟ କରିଥିଲେ । ଦୀର୍ଘଦିନ ପରେ ସେ ନିଜେ ଷ୍ଟୁଡିଓ କରି ସଫଳତାର ଶିଡ଼ି ଚଢ଼ିବାରେ ଲାଗିଛନ୍ତି ।