୨୭ରେ ଓସିଏ ନିର୍ବାଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା କ୍ରିକେଟ ଆସୋସିଏସନ ବା ସଂଘ (ଓସିଏ)ର ବହୁ ପ୍ରତୀକ୍ଷିତ ନିର୍ବାଚନ ଆସନ୍ତା ୨୭ରେ କରାଯିବାକୁ ସ୍ଥିର ହୋଇଛିି। ନିର୍ବାଚନ ଅଧିକାରୀ ଏମଏଲ୍ ମଜୁମଦାରଙ୍କ ସହ ଆଲୋଚନା କରାଯିବା ଶନିବାର ଓସିଏ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନେଇଛି।
ଓସିଏ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଆସନ୍ତା ୨୭ରେ ସାଧାରଣ ପରିଷଦର ବୈଠକ ଦିନ ୧୧ଟାରେ ଅନୁଷ୍ଠିତ ହେବ। ବୈଠକ ପରେ ନିର୍ବାଚନ ହେବ। ଏଥିଲାଗି ଆସନ୍ତା ୧୨ ତାରିଖ ସୁଦ୍ଧା ଭୋଟର ତାଲିକା ଚୂଡାନ୍ତ ହେବ। ଓସିଏର ସମ୍ବିଧାନ ଅନୁଯାୟୀ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ପୂର୍ବରୁ ଥିବା ୭୩ ଜଣ ସ୍ୱୀକୃତିପ୍ରାପ୍ତ ଭୋଟର ଏହି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ।

ଓଡ଼ିଶା ପକ୍ଷରୁ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିଥିବା ୩ ଖେଳାଳି ଦେବାଶିଷ ମହାନ୍ତି, ସଞ୍ଜୟ ରାଉଳ ଏବଂ ଶିବସୁନ୍ଦର ଦାସ ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରିବେ। ଏମାନଙ୍କ ପକ୍ଷରୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ପ୍ରତିନିଧିମାନଙ୍କ ନାମ ତାଲିକା ୧୨ ସୁଦ୍ଧା ପଠାଇବାକୁ ନୋଟିସ୍ ଦିଆଯାଇଛି।

୨୭ରେ ହେବାକୁ ଥିବା ଓସିଏ ସାଧାରଣ ପରିଷଦ ବୈଠକ ଏବଂ ନିର୍ବାଚନ ଲାଗି ମଧ୍ୟ ଶନିବାର ଅର୍ଥାତ୍ ସେପ୍ଟେମ୍ବର ୭ରେ ବିଧିବଦ୍ଧ ନୋଟିସ୍ ଜାରି କରାଯାଇଛି। ଏହି ନିର୍ବାଚନରେ କିଏ କିଏ ଭାଗନେବେ ତାହାର ଡ୍ରାଫ୍ଟ ରୋଲ ସେପ୍ଟେମ୍ବର ୧୩ ଓ୧୪ରେ ପ୍ରକାଶ କରାଯିବ।

ଏଥିରେ ଯଦି କୌଣସି ଅଭିଯୋଗ ଥାଏ, ତେବେ ଏହି ଦିନ ମଧ୍ୟ ତାହାର ଶୁଣାଣି କରାଯାଇ ସମାଧାନ ହେବ। ସେପ୍ଟେମ୍ବର ୧୫ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ସେହିପରି ସେପ୍ଟେମ୍ବର ୨୦ରେ ନାମାଙ୍କନପତ୍ର ଦାଖଲ କରାଯିବ ଏବଂ ତା’ ପରଦିନ ଅର୍ଥାତ୍ ସେେପ୍ଟେମ୍ବର ୨୧ରେ ଏହାର ଯାଞ୍ଚ୍ କରାଯିବ। ଏହା ପରେ ବୈଧ ପ୍ରାର୍ଥୀମାନଙ୍କ ନାମତାଲିକା ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ।

ଯଦି କୌଣସି ପ୍ରାର୍ଥୀ ନିର୍ବାଚନରୁ ଓହରିଯିବାକୁ ଚାହାନ୍ତି, ତେବେ ୨୨ରେ ସେମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇପାରିବେ। ଏହାର ୪ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୭ରେ ଓସିଏ ସାଧାରଣପରିଷଦ ବୈଠକ ସହ ୬ଟି ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଓସିଏ ପକ୍ଷରୁ ପ୍ରକାଶିତ ପ୍ରେସ୍ ରିଲିଜରେ କୁହାଯାଇଛି।

ଏହି ପଦବୀଗୁଡିକ ହେଲା ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଜଣେ କାଉନ୍ସିଲର। ଏହି ଦିନ ଭୋଟ ଗ୍ରହଣ ଓ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ।