ଓସିଏ ନିର୍ବାଚନ: ୫ ପଦ ଲାଗି ୧୦ ପ୍ରାର୍ଥୀ

କଟକ,ଏନ୍ଏନ୍ଏସ୍: ଆସନ୍ତା ୨୭ରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଚୂଡାନ୍ତ ହୋଇଛି। ଏହି ନିର୍ବାଚନ ଲାଗି ୬ଟି ପଦବୀ ଲାଗି ୧୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରବିବାର ଜଣେ ପ୍ରାର୍ଥୀ ଯଥା ସୁନ୍ଦରଗଡର ପ୍ରଭାତ କୁମାର ଭୋଳ ଯୁଗ୍ମସମ୍ପାଦକ ପଦରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଏହା ବ୍ୟତୀତ ଆପେକ୍ସ କାଉନ୍ସିଲ ସଦସ୍ୟଭାବେ କେନ୍ଦ୍ରାପଡ଼ାର ଶୁଭାଶିଷ ସେନାପତି ଜଣେ ମାତ୍ର ପ୍ରାର୍ଥୀ ରହିଥିବାରୁ ସେ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉଭୟ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରବିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ୫ଟି ପଦ ଲାଗି ୧୦ଜଣ ପ୍ରାର୍ଥୀ ରହିଛନ୍ତି। ଏହାର ଅର୍ଥ ସମସ୍ତ ପଦଲାଗି ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ। ଆସନ୍ତା ୨୭ରେ ଗୁପ୍ତମତଦାନ ପରେ ଭୋଟଗଣତି ହେବ ଏବଂ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଏମ୍ଏଲ୍ ମଜୁମଦାରଙ୍କଠାରୁ ପ୍ରକାଶ।
ଓସିଏର ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ। ସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହାନଙ୍କ ମଧ୍ୟରେ ଲଢ଼େଇ ହେବାକୁ ଥିବା ବେଳେ ଉପସଭାପତି ପଦ ପାଇଁ ଅକ୍ଷୟ କୁମାର ସାମନ୍ତ ଓ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକଙ୍କ ମଧ୍ୟରେ ଲଢ଼େଇ ହେବ। ସେହିପରି ସମ୍ପାଦକ ପଦ ଲାଗି ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁତ୍ର ତଥା କଟକର ସଞ୍ଜୟ ବେହେରା ଓ ମଙ୍ଗଳା କ୍ଲବର ନବରଞ୍ଜନ ପଟ୍ଟନାୟକ ମଧ୍ୟରେ ଲଢେଇ ହେବ। କିନ୍ତୁ ନିର୍ବାଚନ ଅଧିକାରୀ ମଜୁମଦାରଙ୍କ ସୂଚନା ଅନୁଯାୟୀ ସଭାପତି ଭାବେ ନିର୍ବାଚିତ ହେଲେ ପ୍ରଦୀପ ଚୌହାନ ୧୦ମାସ ୯ ଦିନ ଏବଂ ସମ୍ପାଦକ ଭାବେ ନବରଞ୍ଜନ ପଟ୍ଟନାୟକ ୨ବର୍ଷ ଦାୟିତ୍ୱରେ ରହିବେ। ଦାୟିତ୍ୱନେବାର ଏହି ଅବଧିପରେ ଏହି ନିର୍ବାଚିତ କର୍ମକର୍ତ୍ତା ଦାୟିତ୍ୱରୁ ଆପେ ଆପେ ହଟିଯିବେ।
ଅନ୍ୟ ପଦଗୁଡିକ ମଧ୍ୟରୁ ଯୁଗ୍ମ ସମ୍ପାଦକ ପଦ ପାଇଁ ଝାରସୁଗୁଡାର ମେହତାବ୍ ଖାନଙ୍କ ସହ ଦେବଗଡର ସୁଜିତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପଦ ଲାଗି ଖୋର୍ଦ୍ଧାର ବିକାଶ ପ୍ରଧାନଙ୍କ ସହ ଜଗତ୍ସିଂହପୁରର ଅନୀଲ କୁମାର ବିଶ୍ୱାଳଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ। ଆଶୀର୍ବାଦ୍ ବେହେରାଙ୍କ ପ୍ୟାନେଲରେ ପଙ୍କଜ, ଅକ୍ଷୟ, ସଞ୍ଜୟ, ମେହତାବ ଓ ବିକାଶ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିରୋଧୀ ପ୍ୟାନେଲରେ ପ୍ରଦୀପ, ପ୍ରସାଦ, ନବରଞ୍ଜନ, ସୁଜିତ ଓ ଅନୀଲ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସଜବାଜ ହୋଇଛନ୍ତି।