ସରକାରୀ ଯୋଜନାରେ ସ୍ଥାନ ସଂରକ୍ଷଣ ପାଇଁ ଗର୍ଜିଲା ଓବିସି ସଂଘ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ରେ ପଛୁଆ ବର୍ଗଙ୍କ ଆବଶ୍ୟକ ସ୍ଥାନ ସଂରକ୍ଷଣ ଦାବୀ ନେଇ ଓବିସି ମଞ୍ଚ ରାଜରାସ୍ତାକୁ ଓହ୍ଲାଇଛି । ଶିକ୍ଷା, ଚାକିରି ଓ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ୯ ଦଫା ଦାବୀପତ୍ର ସହ ଆଗାମୀ ଦିନରେ ଦାବୀଗୁଡ଼ିକୁ ପୂରଣ ନ ହେଲେ ରାଜ୍ୟ ସରକାରଙ୍କୁ ଏହାର ଉଚିତ ଜବାବ ଦିଆଯିବ ବୋଲିି ଅନେକ ନେତା କହିଛନ୍ତି । ତେବେ ୯ ଦଫା ଦାବୀ ମଧ୍ୟରୁ ଓବିସି ଜନ ଗଣନା କରିବା ସହ ଶିକ୍ଷା, ସରକାରୀ ଏବଂ ବେସରକାରୀସ୍ତରରେ ଚାକିରି ସଂରକ୍ଷଣ ବ୍ୟବସ୍ଥା, ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ସହ ଛାତ୍ରଛାତ୍ରୀ ନିବାସ ନିର୍ମାଣ, ସମାନ ଶିକ୍ଷା ଗୁଣବତ୍ତା ଅନୁଯାୟୀ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଫିସ ଛାଡ଼, ଦେଶ ଏବଂ ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ, କୁଶଲି କାରିଗର ଏବଂ ବଂଶାନୁକ୍ରମିକ ବୃତ୍ତିକୁ କୁଟୀର ଶିଳ୍ପ ମାନ୍ୟତା ପ୍ରଦାନ, ବର୍ତ୍ତମାନ ରାଜ୍ୟରେ ପୁଲିସ କନଷ୍ଟେବଳ ନିଯୁକ୍ତିରେ ପଛୁଆବର୍ଗକୁ ଶୂନ ଭାବରେ ବିଚାରକୁ ନେଇଥିବାରୁ ଏହାକୁ ପରିବର୍ତ୍ତନ କରି ଓବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ସହ ମଣ୍ଡଳ କମିଶନର ସୁପାରିସକୁ କାର୍ଯ୍ୟକାରୀ କରିବା ଦାବୀ ନେଇ ପଛୁଆ ବର୍ଗ ମିଳିତ ମଞ୍ଚ ତରଫରୁ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଟିଟିଲାଗଡ଼ କଲ୍ୟାଣ ମଣ୍ଡପରୁ ଏକ ପାଟୁଆର ମଞ୍ଚର ଆବାହକ ମନୋଜ ହାତୀଙ୍କ ନେତୃତ୍ୱରେ ଯାଦବ ନେତା ଘିନୁ ଆଡ଼ଜୁଆର୍ଡ, ଚାଷୀ ନେତା ବାଳକୃଷ୍ଣ ଷଣ୍ଡ, ଆଇନଜୀବୀ ତୁଳସୀ ସାହୁ, ଅଶୋକ ସାହୁ, ଝସକେତନ ଛତର, ଅଭୟ ସାହୁ, ଓକିଲ ରାଘବ ରଣା, ଟିକେରାମ ସାହୁ ଓ କ୍ଷୀର ସିନ୍ଧୁ ସାହୁ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇ ଦେଶରେ ୫୨ ପ୍ରତିଶତରୁ ଊର୍‌ଦ୍ଧ୍ୱ ପଛୁଆ ବର୍ଗ ରହିଥିବାବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ବାରମ୍ବାର ପଛୁଆ ବର୍ଗକୁ ହତାଦର କରୁଥିବା ଅଭିଯୋଗ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଲଳିତ ସାହୁ, ଛତର, ଦେବାନନ୍ଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଜୀବ ସାହୁ, ସରପଞ୍ଚ ସଂଘ ସଭାପତି ବୀରବର ସାହୁ ଓ ସୁଧୀର ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ ।