କୋଭିଡ୍ ମୁକାବିଲାରେ ଟ୍ରମ୍ପଙ୍କ ପଦକ୍ଷେପକୁ ଓବାମାଙ୍କ ସମାଲୋଚନା

ୱାସିଂଟନ୍‌: ଆମେରିକାରେ କୋଭିଡ୍ ପରିସ୍ଥିତି ମୁକାବିଲା କରିବାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଦକ୍ଷେପକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ପାଇଁ ଓବାମା ପ୍ରଚାର କରିବା ସମୟରେ ଏଭଳି ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆମେରିକାର ଜନସାଧାରଣ ପ୍ରାର୍ଥୀଙ୍କ ନେତୃତ୍ୱ ଓ ଚରିତ୍ରକୁ ବିଚାରକୁ ନେଇ ନିଶ୍ଚିତ ରୂପେ ବିଡେନ୍ ଓ କମଲା ହାରିସ୍‌ଙ୍କୁ ବିଜୟୀ କରାଇବେ । ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଓବାମା ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ।

ଅପରପକ୍ଷରେ ନର୍ଥ କାଲିଫର୍ଣ୍ଣିଆର ଗାଷ୍ଟନ୍‌ଠାରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ବାରାକ୍ ଓବାମା ପୂର୍ବରୁ ହିଲାରି କ୍ଲିଣ୍ଟନ୍‌ଙ୍କ ପାଇଁ ପ୍ରଚାର କରୁଥିଲେ ଏବଂ ହିଲାରି ପରାଜିତ ହୋଇଥିଲେ । ତେଣୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଡ଼େମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡ଼େନ୍‌ଙ୍କ ପାଇଁ ପ୍ରଚାର କରିବା ଭଲ ଖବର ବୋଲି ଆକ୍ଷେପ କରି କହିଛନ୍ତି ଟ୍ରମ୍ପ । ସେ ଆହୁରି କହିଛନ୍ତି, ଓବାମା ପ୍ରଶାସନର ବିଫଳତା ଯୋଗୁଁ ଆମେରିକାର ଜନସାଧାରଣ ତାଙ୍କୁ ହ୍ୱାଇଟ୍‌ହାଉସ୍‌କୁ ପଠାଇଲେ । ଓବାମା ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଅନେକ ଭୁଲ୍ ନିଷ୍ପତ୍ତି ନେଇଥିଲେ । ତେଣୁ ଲୋକମାନେ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରି ଶାସନଗାଦିରେ ପରିବର୍ତ୍ତନ ଆଣିଥିଲେ ।