ଟ୍ରମ୍ପଙ୍କୁ ଓବାମାଙ୍କ ତାଗିଦା: ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରନ୍ତୁ ନାହିଁ

ୱାଶିଂଟନ,ଏଜେନ୍ସି: ‘ମୋ ଉତ୍ତରାଧିକାରୀ ଏପରି ହୀନ ମନୋଭାବ ରଖି ଶାସନ କରିବେ ବୋଲି ଆଶା କରିନଥିଲି। ମୋ ଦୂରଦୃଷ୍ଟି ଓ ନୀତିକୁ ସେ ସମ୍ମାନର ସହ ଗ୍ରହଣ କରିବା ଆଶା ରଖିଥିଲି। ମାତ୍ର ଗତ ଚାରିବର୍ଷର ଶାସନ ଭିତରେ ସେଭଳି କିଛି ଦେଖିପାରିଲିନି। ରାଷ୍ଟ୍ରପତି ଭଳି ଗୁରୁଦାୟିତ୍ୱ ତୁଲାଇବାକୁ ସେ କେବେ ହୃଦୟର ସହ ଉଦ୍ୟମ କରିନାହାନ୍ତି। ଦେଶ ଓ ଜନତାଙ୍କ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ଫାଇଦାକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ହ୍ୱାଇଟହାଉସର ମର୍ଯ୍ୟାଦା ରକ୍ଷା ପରିବର୍ତ୍ତେ କ୍ଷୁର୍ଣ୍ଣ କରିବାକୁ ପଛାଉନାହାନ୍ତି।’ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଏହି ଅଭିଭାଷଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ଥିଲା।

ବୁଧବାର ରାତିରେ ଫିଲାଡେଲଫିଆ ଗ୍ରାଉଣ୍ଡରୁ ଓବାମା ଦେଶର ଗଣତନ୍ତ୍ର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ଜନତାଙ୍କୁ ଆହ୍ୱାନ କରିଛନ୍ତି। ତା’ ସହିତ ଆମେରିକାରେ ଗଣତନ୍ତ୍ର ଶାସନକୁ ଧ୍ୱଂସ ଆଡ଼କୁ ନେବାକୁ ସେ ଟ୍ରମ୍ପଙ୍କୁ ବାରଣ କରିଛନ୍ତି। ପ୍ରଶାସନିକ କାର୍ଯ୍ୟ ତୁଲାଇବାରେ ଉଭୟ ଓବାମା ଓ ଟ୍ରମ୍ପ ସମ୍ପୂର୍ଣ୍ଣ ବିପରୀତମୁଖୀ। ଓବାମାଙ୍କୁ ଜଣେ ଉଚ୍ଚଶିକ୍ଷିତ ଓ ଶୃଙ୍ଖଳିତ ଶାସକ ଭାବେ ଆମେରିକା ସମାଜ ଗ୍ରହଣ କରିଥିଲା ବେଳେ ଟ୍ରମ୍ପଙ୍କ ପ୍ରଶାସନିକ ଦକ୍ଷତା ଓ କାର୍ଯ୍ୟକୁ ଅଧିକାଂଶ ସମାଲୋଚନା କରୁଛନ୍ତି। ବିଶେଷ କରି ତାଙ୍କର ବେପରୁଆ ମନ୍ତବ୍ୟ ଓ ଘୃଣା ମନୋଭାବକୁ ଆମେରିକାର ବୁଦ୍ଧିଜୀବୀ ସମାଜ ନାପସନ୍ଦ କରୁଛନ୍ତି। ଗୁରୁବାର ଓବାମା ଡେମୋକ୍ରାଟିକ୍ ନ୍ୟାସନାଲ୍ କନଭେନସନରେ ଯୋଗଦେଇ ଦେଶବାସୀ ଓ ରାଷ୍ଟ୍ରମୁଖ୍ୟଙ୍କ କର୍ତ୍ତବ୍ୟବୋଧ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ତାଙ୍କ ଅଭିଭାଷଣକୁ ଆମେରିକାର ସରକାରୀ ଟେଲିଭିଜନରେ ପ୍ରସାରିତ ହୋଇଥିଲା।

ଟ୍ରମ୍ପଙ୍କ କାର୍ଯ୍ୟକାଳକୁ ସମାଲୋଚନା କରି ଓବାମା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା କ୍ରମେ ସଙ୍କଟ ଆଡ଼କୁ ଗତି କରୁଛି ବୋଲି କହିଛନ୍ତି। ଆମେରିକାର ସ୍ୱାଧୀନତା ସଂଗ୍ରାମ, କୃଷ୍ଣକାୟ ଆନ୍ଦୋଳନ ଉଦାହରଣ ଦେଇ ଦେଶର ଯୁବବର୍ଗଙ୍କୁ ଗଣତନ୍ତ୍ରର ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି। ଓବାମାଙ୍କ ମତରେ ଦେଶର ଶାସକ ବର୍ଗ ସେମାନଙ୍କ ନୈତିକତାକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ୱାର୍ଥ ଚରିତାର୍ଥ ପାଇଁ ସାଧାରଣ ଲୋକଙ୍କ ଅଧିକାର ଛଡ଼ାଇନେବାକୁ ଉଦ୍ୟମ କଲେ, ଯୁବବର୍ଗ ତା’ର କଡ଼ା ମୁକାବିଲା କରିବାକୁ ଆଗେଇ ଆସିବା ଉଚିତ୍, ତା’ ନହେଲେ ଆମ ପୂର୍ବପୁରୁଷଙ୍କ ଜୀବନବ୍ୟାପୀ ସଂଗ୍ରାମ ମାଟିରେ ମିଶିଯିବ। ଆମେରିକା ତା’ର ହୃତଗୌରବ ହରାଇବସିବ। ସେ ପୁଣି କହିଛନ୍ତି ଯେ ଶାସକଙ୍କୁ ଅହଙ୍କାର ଶୋଭା ପାଏନା। ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରିବା ଜଣେ ରାଷ୍ଟ୍ରପତିଙ୍କର ମୌଳିକ କର୍ତ୍ତବ୍ୟ।

ଜଣେ ସାଧାରଣ ନାଗରିକ ଭାବେ ଓବାମା ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି। ମାତ୍ର ତାଙ୍କର ଭାଷଣର ପ୍ରତିଟି ଶବ୍ଦକୁ ବୁଦ୍ଧିଜୀବୀମାନେ ତାରିଫ କରିଛନ୍ତି। କୃଷ୍ଣକାୟଙ୍କ ପ୍ରତି ଟ୍ରମ୍ପଙ୍କ ଆଚରଣ ଓ ଉଚ୍ଚାରଣକୁ ଓବାମା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ନିଆଁ ସହିତ ଖେଳୁଛନ୍ତି। ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାର ଅଛି। ଦେଶର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରିଛନ୍ତି। ସମ୍ବିଧାନ ଦୃଷ୍ଟିରେ ଜାତି, ଧର୍ମ, ଲିଙ୍ଗ ଓ ବର୍ଣ୍ଣ ନିର୍ବିଶେଷରେ ସବୁ ନାଗରିକଙ୍କୁ ସମାନ ମର୍ଯ୍ୟାଦା ଦିଆଯାଇଥିଲା ବେଳେ ରାଷ୍ଟ୍ରପତି ତା’ର ବିପରୀତ ଦିଗରେ ଗତି କରିବା ଗଣତନ୍ତ୍ର ପ୍ରତି ବିପଦ।

ଦେଶର ୨୪୩ ବର୍ଷ ଇତିହାସର ଅଭିଭାବକ ଭାବେ ଓବାମା ନିଜକୁ ଉପସ୍ଥାପିତ କରିଛନ୍ତି। ତା’ ସହିତ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଠିକ୍ ଲୋକଙ୍କୁ ମତପ୍ରଦାନ କରି ଦେଶର ଗଣତନ୍ତ୍ରକୁ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ଓବାମାଙ୍କ ଭାଷଣ ପ୍ରସାରଣ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟର୍ ଜରିଆରେ ଧାରାବାହିକ ଭାବେ ପ୍ରତିବାଦ ପ୍ରକାଶ କରିଥିଲେ। ଅଭିଭାଷଣର ଶେଷ ପର୍ଯ୍ୟାୟରେ ଓବାମା ଟ୍ରମ୍ପଙ୍କୁ ଧମକ ଦେବାକୁ ଯାଇ କହିଛନ୍ତି, ‘ଆଇନକୁ ହାତକୁ ନେବା ପାଇଁ ବାଧ୍ୟ କଲେ, ସେମାନେ ଆପଣଙ୍କଠାରୁ କ୍ଷମତା ଛଡ଼ାଇ ନେଇଯିବେ। ସେଭଳି ଦୁଃସାହସ କରନ୍ତୁ ନାହିଁ।’