ପାତ୍ରଗୁଡ଼ା ଅଙ୍ଗନବାଡି କେନ୍ଦ୍ର ସଚେତନତା ରଥକୁ ସ୍ୱାଗତ କରି ପୋଷଣ ଦିବସ ପାଳିତ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ପାତ୍ରଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପୋଷଣ ରଥକୁ ସ୍ୱାଗତ କରାଯିବା ସହିତ ହର୍ଷ ଟ୍ରଷ୍ଟ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ମହିଳାମାନେ ପୋଷଣ ରଥକୁ ପୂଜା ଅର୍ଚ୍ଚନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ମୁନିଗୁଡ଼ା ସିଡିପିଓ ଡାଳିମ୍ବ ନାୟକ ଓ ସମ୍ମାନିତ ଅତିଥିଭାବେ ଅକ୍ଷୟ ପାତ୍ର ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ହର୍ଷ ଟ୍ରଷ୍ଟ ତରଫରୁ ମହିଳାମାନେ ପୋଷଣର ବିଭିନ୍ନ ଦିଗ ଉପରେ ଗୀତ, ନାଚ, ଖାଦ୍ୟ ଓ ଝୋଟି ପ୍ରତିଯୋଗିତା କରି ଗର୍ଭବତୀ, ପ୍ରସୂତି ଓ କିଶୋରୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏଥିରେ ବିଶେଷ କରି ଅପପୁଷ୍ଟି ହ୍ରାସ, ଶିଶୁ ଓ ମାତୃ ମୃତ୍ୟୁକୁ ସମ୍ପୂର୍ଣ ରୋକିବା ଉଦ୍ଦେଶ୍ୟରେ ଆଲୋଚନା କରାଇଥିଲେ । ପାତ୍ରଗୁଡ଼ା ଅଙ୍ଗନବାଡିର କର୍ମୀ ଜ୍ୟୋତ୍ସ୍ନା ସାହୁ, ଭୂରୁଷିଖମ୍ବାର ଅଙ୍ଗନବାଡି କର୍ମୀ ଦୁଃଖୀ କାଡ୍ରାକା, ବୁର୍ଯୁଗୁଡ଼ା ଅଙ୍ଗନବାଡି କର୍ମୀ ଦମୟନ୍ତୀ ଦେବୀ ଓ ତଳ ଛେଳିୟାନାଳର ସୁନୀତା ରାଣୀ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ ସିଡିପିଓ ସମସ୍ତ ଉପସ୍ଥିତ କର୍ମୀ, ଗ୍ରାମର ସମସ୍ତ କିଶୋରୀ ବାଳିକା ଓ ପ୍ରସୂତି, ଗର୍ଭବତୀ ମା’ଙ୍କୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ,ଏହାର ସୁଫଳ ଓ ପ୍ରତ୍ୟେକଙ୍କ କର୍ତ୍ତବ୍ୟ ଉପରେ ଅତି ସରଳ ଭାବେ ବୁଝାଇଥିଲେ । ଶେଷରେ ହର୍ଷ ଟ୍ରଷ୍ଟର ସଂଯୋଜକ ଅକ୍ଷୟ ପାତ୍ର ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ ।