ନର୍ସ ନିହାରିକା ହତ୍ୟା ଘଟଣାରେ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେଲା ପୁଲିସ

ଜଗତସିଂହପୁର,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ନର୍ସ ନିହାରୀକା ହତ୍ୟାକାଣ୍ଡର ଅଭିଯୁକ୍ତ ରାଜା ଅଲିୟାସ କିଶୋର କୁମାର ଆଂଚଲ(୨୭)କୁ ଜିଲ୍ଲା ପୁଲିସର ଅନୁରୋଧ କ୍ରମେ ଜଗତସିଂହପୁର ଏସଡିଜେଏମ୍ ୩ଦିନ ରିମାଣ୍ଡରେ ନେବା ପାଇଁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପୁଲିସ ପକ୍ଷରୁ ଉକ୍ତ ମାମଲାର ମୁଖ୍ୟ ତଦନ୍ତ ଦାୟିତ୍ୱରେ ଥିବା ଜଗତସିଂହପୁର ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ୍ ଅଭିଯୁକ୍ତ ରାଜାକୁ ୫ଦିନ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ।

ତେବେ ଜଜ୍ ରୁତୁପର୍ଣ୍ଣା ମିଶ୍ର ଅଭିଯୁକ୍ତ ରାଜାକୁ ୫ଦିନ ପରିବର୍ତ୍ତେ ୩ଦିନ ନେବା ପାଇଁ ପୁଲିସକୁ ଅନୁମତି ପ୍ରଦାନ କରିଛନ୍ତି। ସୋମବାର ୨୩ ତାରିଖ ଅପରାହ୍ନ ୫ଘଟିକା ସମୟରୁ ୨୫ ତାରିଖ ଅପରାହ୍ନ ୫ଘଟିକା ସମୟ ପର୍ୟ୍ୟନ୍ତ ରିମାଣ୍ଡରେ ନେବାପାଇଁ ନିର୍ଦ୍ଦେଶ ହୋଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କହୁଥିବା ଆସିଷ୍ଟାଣ୍ଡ ପବ୍ଲିକ ପ୍ରୋସିକ୍ୟୁଟର ତପସ୍ବିନୀ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।