ହାଇକୋର୍ଟରେ ଅନୁମୋଦିତ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି

କଟକ,ଏନ୍ଏନ୍ଏସ୍: ବଢିଲା ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା। ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ଏବେ ୩୩କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ସଂଖ୍ୟା ୨୭ ଥିଲା। ହେଲେ ଏବେ ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ ହାଇକୋର୍ଟକୁ ଚିଠି ଆସିଛି।

ବିଚାରପତିଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି କରିବାକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ ମୁରଲୀଧର ଜାନୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୁପାରିଶ କରିଥିଲେ। ତଦନୁଯାୟୀ ଆଉ ୬ ଜଣ ବିଚାରପତିଙ୍କ ପଦ ଅନୁମୋଦିତ ହୋଇଛି।

ମୁଖ୍ୟ ବିଚାରପତିଙ୍କୁ ମିଶାଇ ଓଡିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ନିକଟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଆଉ ୪ ଜଣଙ୍କ ନାମ ବିଚାରପତି ପାଇଁ ସୁପାରିଶ କରିଛନ୍ତି। ୨୦୧୪ ମସିହାରେ ଓଡିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୨ରୁ ବୃଦ୍ଧି ହୋଇ ୨୭ରେ ପହଞ୍ଚିଥିଲା। ହାଇକୋର୍ଟରେ ଏବେ ୧ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ବ ମାମଲା ବିଚାର ପାଇଁ ପଡି ରହିଥିବା ଜଣାପଡିଛି।