୯୬ରୁ ୪୬ କୁ ଖସିଲା ଦେଶରେ ମାଓପ୍ରବଣ ଜିଲ୍ଲା ସଂଖ୍ୟା, ରାଜ୍ୟ ସଭାରେ ଗୃହରାଜ୍ୟ ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ,ଏଜେନ୍ସି: ଭୁଶୁଡୁଛି ଲାଲଗଡ଼। ଦେଶରେ ମାଓପ୍ରବଣ ଜିଲ୍ଲା ସଂଖ୍ୟାରେ ବଡ଼ ହ୍ରାସ। ୯୬ରୁ ୪୬ କୁ ଖସିଲା ଦେଶରେ ମାଓପ୍ରବଣ ଜିଲ୍ଲା ସଂଖ୍ୟା। ଆଜି ଦେଶର ମାଓ ପ୍ରବଣ ଜିଲ୍ଲା ସଂଖ୍ୟା ଓ ସ୍ଥିତିକୁ ନେଇ ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୦ ସୁଦ୍ଧା ଦେଶରେ ପ୍ରାୟ ୯୬ଟି ମାଓ ପ୍ରବଣ ଜିଲ୍ଲା ରହିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୪୬ ରହିଛି। ଯେଉଁଥିରୁ ସ୍ପଷ୍ଟ ଭାବରେ ବାରି ହେଉଛି ଯେ ରାଜ୍ୟ ମାନଙ୍କ ମାଓ ବିରୋଧୀ ଅଭିଯାନ ସଫଳ ହେଉଛି।

ଏହାସହିତ ୨୦୧୮ ଓ ୨୦୧୯ ତୁଳନାରେ ୨୦୨୧ରେ ପୁରା ଦେଶରେ ମାଓ ହିଂସା ୭୦ ପ୍ରତିଶତ ହ୍ରାସ ପାଇଛି ବୋଲି ମନ୍ତ୍ରୀ ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି। ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ମୋଦୀ ସରକାର ୨୦୧୫ ରେ ଉଗ୍ରବାଦକୁ ଶେଷ କରିବା ପାଇଁ ଏକ ନୀତି ପ୍ରସ୍ତୁତ କରିଥିଲେ।

ଯାହା ଅଧୀନରେ ଦେଶର ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡିକର ବିକାଶ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯେଉଁଥିପାଇଁ ମାଓ ପ୍ରବଣ ଜିଲ୍ଲାଗୁଡ଼ିକ ଉପରେ ବିଶେଷ ନଜର ରଖାଯାଇଥିଲା। ଯାହାର ଫଳସ୍ୱରୂପ ଦେଶରେ ମାଓ ପ୍ରବଣ ଜିଲ୍ଲାଗୁଡ଼ିକରେ ଏବେ ଭଲ ଚିତ୍ର ଦେଖିବାକୁ ମିଳିଛି, ଏବଂ କ୍ରମାଗତ ଭାବରେ ଏହି ସଂଖ୍ୟା ମଧ୍ୟ ହ୍ରାସ ପାଇଛି।