ଆଣବିକ ଆଲୋଚନା ବ୍ୟର୍ଥ ହୋଇଛି: ଉତ୍ତର କୋରିଆ, ଆମେରିକା କହିଲା ନୋ ଓରି

ହେଲ୍‌ସିଙ୍କି,ଏଜେନ୍ସି: ଉତ୍ତର କୋରିଆର ମୁଖ୍ୟ କିମ୍‌ ମିୟୋଙ୍ଗ୍‌ ଗିଲ୍‌ ରବିବାର ଯୁକ୍ତରାଷ୍ଟ୍ର ଆମେରିକା ସହ ଆଣବିକ ଆଲୋଚନା ବ୍ୟର୍ଥ ହୋଇଛି ବୋଲି କହିଥିବାବେଳେ ଓ୍ଵାସିଂଟନ୍‌ କହିଛି ଯେ ଉଭୟ ପକ୍ଷ ସ୍ୱିଡେନ୍‌ରେ ଉତ୍ତମ ଆଲୋଚନା କରିଛନ୍ତି। ଏବଂ ୨ସପ୍ତାହ ପରେ ଏହା ପୁଣି ଚାଲିବ ବୋଲି କହିଛି। ଶନିବାର ଦିନ ଷ୍ଟକ୍‌ହୋମ୍‌ରେ ଆଲୋଚନାରେ ଉତ୍ତର କୋରିଆ କହିଥିଲା ଆମର ଆଶା ପୂରଣନ କରିବାରୁ ବ୍ୟର୍ଥ ହୋଇଛି। ଏଥିଯୋଗୁଁ ମୁଁ ଖୁବ୍‌ ଅସନ୍ତୁଷ୍ଟ। ଉତ୍ତର କୋରିଆ ଦୂତାବାସ ବାହାରେ ସେ କୋରିଆ ଭାଷାରେ ପାଠ କରିଥିବା ଏହି ବିବରଣୀକୁ ତାଙ୍କ ପାଖରେ ଥିବା ଜଣେ ଅନୁବାଦକ ଇଂରାଜୀ ରୂପାନ୍ତର କରିଥିଲେ। କିମ୍‌ କହିଲେ ବୁଝାମଣା ବ୍ୟର୍ଥ ହେବାର କାରଣ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ତା’ର ପୁରୁଣା ମନୋଭାବ ଛାଡ଼ିନାହିଁ।
ସେହିପରି ଫେବୃଆରୀ ମାସରେ ଭିଏତ୍‌ନାମରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଶିଖର ବୈଠକ ବିଫଳ ହେବା ପରେ ଶନିବାର ଦିନ ପୁଣି ଥରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ସ୍ୱିଡେନ୍‌ର ରାଜଧାନୀର ଉତ୍ତରପୂର୍ବରେ ଅବସ୍ଥିତ ଏକ ଦ୍ୱୀପରେ ଥିବା ଭିଲ୍ଲା ଏଲ୍‌ଫଭିକ୍‌ ଷ୍ଟ୍ରାଣ୍ଡ୍‌ରେ ଆଲୋଚନା ଅନୁଷ୍ଠିତ ହୋଇଥିଲା।
ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ରୀ ମୋର୍ଗାନ୍‌ ଅର୍ଟାଗସ୍‌ କହିଲେ, କିମ୍‌ଙ୍କ ବିବୃତି ସାଢ଼େ ଆଠଘଣ୍ଟା ଧରି ଚାଲିଥିବା ଉତ୍ତମ ଆଲୋଚନାର ବିଷୟବସ୍ତୁ କିଂବା ତତ୍ତ୍ୱର ପ୍ରତିଫଳନ କରୁ ନାହିଁ। ଆଲୋଚନା ଚାଲୁ ରଖିବା ନିମନ୍ତେ ଦୁଇ ସପ୍ତାହ ମଧ୍ୟରେ ଷ୍ଟକ୍‌ହୋମ୍‌କୁ ଫେରିବା ପାଇଁ ସ୍ୱିଡେନ୍‌ ଦେଇଥିବା ନିମନ୍ତ୍ରଣକୁ ଯୁକ୍ତରାଷ୍ଟ୍ର ଆମେରିକା ଗ୍ରହଣ କରିଛି।