ନୂଆପଡ଼ାରେ ପ୍ରବାସୀଙ୍କ ସଂଗରୋଧ ଅବଧି ବଢ଼ିଲା

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲାରେ ୬ଟି ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସଂଗରୋଧ ଅବଧି ବୃଦ୍ଧି କରାଯାଇଛି ବୋଲି ଜିଲ୍ଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି। ବିଶେଷ କରି ମହାରାଷ୍ଟ୍ର, ଗୁଜୁରାଟ, ପଶ୍ଚିମବଙ୍ଗ ରାଜ୍ୟ ସହ ବେଙ୍ଗାଲୁର, ଚେନ୍ନାଇ ଏବଂ ହାଇଦ୍ରାବାଦ ସହରରୁ ଆସୁଥିବା ପ୍ରବାସୀମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ ରହିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଅନ୍ୟମାନଙ୍କ ଅବଧି ପୂର୍ବ ପରି ୭ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୭ ଗୃହାବଦ୍ଧରେ ରହିବାକୁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ, ଜିଲ୍ଲାରେ ପ୍ରବାସୀମାନଙ୍କୁ ୭ ଦିନ ସଂଗରୋଧ କେନ୍ଦ୍ର ଓ ପରେ ୭ଦିନ ଗୃହାବଦ୍ଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାରେ ବର୍ତ୍ତମାନ ଗୃହାବଦ୍ଧରେ ଥିବା ବ୍ୟକ୍ତିଙ୍କ ପଜିଟିଭ୍ ବାହାରୁଥିବାରୁ ତାହା ଚିନ୍ତା ବଢ଼ାଇଛି।