ନୂଆପଡ଼ା,ଏନ୍ଏନ୍ଏସ୍ : କରୋନା ଭୟରେ ଗାଁ’ରେ ପୂରାଇ ଦେଲେନି ଗ୍ରାମବାସୀ। ଏନେଇ ନିଜ ଜମିରେ କୁଡ଼ିଆ କରି ରହିଲେ ଗୋଟିଏ ପରିବାରର ୬ ଜଣ ସଦସ୍ୟ। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ନୂଆଗାଁ ପଞ୍ଚାୟତ ଲହଣ୍ଡୋପାଲି ଗାଁ’ରେ। ଲହଣ୍ଡୋପାଲି ଗାଁ’ର ଦ୍ରୌଣ ବେମାଲ(୩୦), ସ୍ତ୍ରୀ ଦେମତୀ (୨୫), ମା’ ସାବିତ୍ରୀ(୬୦), ମଞ୍ଜୁଲତା (୧୭), ଧବନ (୬), ଗୋଲାପି (୨) ରାୟଗଡ଼ା ଜିଲ୍ଲାର ଏକ ଇଙ୍କାଭାଟିରେ କାମ କରୁଥିଲେ। ଲକଡାଉନ୍ ଯୋଗୁଁ ସେଠାରେ ରହି ଯାଇଥିଲେ। ଗତ ୨୪ ତାରିଖ ଦିନ ଏମାନେ ଟ୍ରେନ୍ରେ ଆସି ଲାଠୋରରେ ଓହ୍ଲାଇ ନିଜ ଗାଁ’ରେ ପହଞ୍ôଚ ଥିଲେ। ସେମାନେ ନୂଆଗାଁ’ ସରପଞ୍ଚ ଦମୟନ୍ତି ହାତୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ କହିଥିଲେ।
କିନ୍ତୁ ଓଡ଼ିଶାରୁ ଆସିଥିବାରୁ ସଂଗରୋଧରେ ରହିବାକୁ ଦିଆଯିବ ନାହିଁ ବୋଲି ସରପଞ୍ଚ କହିଥିଲେ। ଏହାପରେ ୬ ଜଣଙ୍କୁ ଗ୍ରାମବାସୀ ଗାଁ’ରେ ରହିବାକୁ ବାରଣ କରିଥିଲେ। କିଛି ଉପାୟ ନପାଇ ଏହି ପରିବାର ଗାଁ’ର କିଛି ଦୂରରେ ଥିବା ନିଜ ଜମିରେ ଏକ କୁଡିଆ କରି ଆଜିକୁ ୯ଦିନ ହେବ ସେଠାରେ ରହୁଥିଲେ। ଗତକାଲି ତାଙ୍କର ସମୟ ସରିଥିବା ବେଳେ ସେମାନେ ନିଜର ଅଧା ଭଙ୍ଗା ଘରକୁ ଯାଇ ରହିଛନ୍ତି। ତେବେ ଗତବର୍ଷ ମିଳିଥିବା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଥିବାବେଳେ ଅଧାପନ୍ତରିଆ ଭାବରେ ପଡ଼ି ରହିଛି।
ସେହିପରି ଅନ୍ୟପକ୍ଷେ ଖଡ଼ିଆଳ ବ୍ଲକ୍ ତିଖାଲି ସଂଗରୋଧ କେନ୍ଦ୍ରରେ ୨୬ ଜଣ ପ୍ରବାସୀ ରହୁଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ସ୍ୱାବ୍ ପରୀକ୍ଷା ହୋଇଥିବା ବେଳେ ୨୩ ଜଣଙ୍କ ସ୍ୱାବ୍ ପରୀକ୍ଷା ହୋଇନାହିଁ। ସେମାନଙ୍କ ସଂଗରୋଧ ସମୟ ସୀମା ଶେଷ ହେବା ପରେ ଗାଁ’କୁ ଯିବାକୁ ବାହାରିଥିଲେ। ହେଲେ ଅନ୍ୟ ୨୩ ଜଣଙ୍କ ସ୍ୱାବ୍ ପରୀକ୍ଷା ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଗାଁ’କୁ ଛଡ଼ାଯିବ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ।
ଫଳରେ ୨୬ ଜଣ ଗାଁ’ର ଏକ ସ୍କୁଲରେ ରହୁଛନ୍ତି। ସେମାନଙ୍କୁ ନିଜ ନିଜ ଘରୁ ଖାଦ୍ୟ ଦିଆଯାଉଛି। ସେହିପରି କୋମନା ବ୍ଲକ୍ ଭେଲା ପଞ୍ଚାୟତ ଖଡିକାରପଡାର ଜଣେ ଯୁବକ ମୁମ୍ବାଇରୁ ଫେରିବା ପରେ ସାହାଜେଟ ସଂଗରୋଧ କେନ୍ଦ୍ରରେ ରହୁଥିଲେ। ତାଙ୍କର ସମୟସୀମା ଶେଷ ହେବାପରେ ଘରକୁ ଯାଇଥିଲେ। ହେଲେ ତାଙ୍କର ସ୍ୱାବ୍ ପରୀକ୍ଷା ହୋଇନଥିବାରୁ ଗ୍ରାମବାସୀ ତାଙ୍କୁ ଗାଁ’କୁ ଛାଡ଼ି ନଥିଲେ। ଫଳରେ ସେ ନିଜ ଜମିରେ ଏକ କୁଡିଆ କରି ରହୁଛନ୍ତି। ଏପରିକି ଏହି ଯୁବକଙ୍କୁ ଗାଁ’ର ପୋଖରୀକୁ ଯିବାପାଇଁ ବାରଣ କରାଯାଇଛି। ଦିନକୁ ଦିନ ଜିଲ୍ଲାରେ ଏପରି ଘଟଣା ବଢୁଥିବାରୁ ତାର ସମାଧାନ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।