ମା’ଠାନେ ଲାଗଲା ନୂଆଁ

ଗାଁନୁ ସହର ସବୁ ନ ଉସନାକ୍

ସମ୍ବଲପୁର,ଏନ୍ଏନ୍ଏସ୍: ସମଗ୍ର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ମଙ୍ଗଳବାର ନୂଆଁଖାଇର ମାହୋଲ ଦେଖିବାକୁ ମିଳିଛି। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ, ପାଟଣେଶ୍ୱରୀ, ସୁରେଶ୍ୱରୀଙ୍କଠାରେ ନବାନ୍ନ ଲାଗିହୋଇଛି। ଏଥିସହ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇଛନ୍ତି। ଦେବୀ ସମଲେଶ୍ୱରୀଙ୍କ ମୁଖ୍ୟପୀଠ ସମ୍ବଲପୁର ସମଲେଈଗୁଡିରେ ଆଜି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ନବାନ୍ନ ଲାଗି ହୋଇଥିଲା।

ପରମ୍ପରା ଅନୁଯାୟୀ ଝାଡୁଆପଡ଼ାର ବେହେରା ପରିବାରଙ୍କ ନୂଆଁଖାଇ ଭାର ମଧ୍ୟ ପହଞ୍ଚିଥିଲା। ପୂର୍ବାହ୍ଣରେ ଶଙ୍ଖଧ୍ୱନି ସହ ଦେବୀଙ୍କ ଠାରେ ନବାନ୍ନ ଅର୍ପଣ ବିଧି ଆରମ୍ଭ ହୋଇଥିଲା। ଘଣ୍ଟ, ଶଙ୍ଖ ଓ ପଞ୍ଚବାଦ୍ୟ ମଧ୍ୟରେ ଦେବୀଙ୍କଠାରେ ପୂଜକମାନେ ନୂଆଧାନରେ ପ୍ରସ୍ତୁତ ଖିରି, ପିଠାପଣା ଲାଗି କରିଥିଲେ।

ନିର୍ଦ୍ଧାରିତ ଲଗ୍ନରେ ଦେବୀଙ୍କଠାରେ ନବାନ୍ନ ଲାଗି ପରେ ୧୦ଟା ୨୦ ମିନିଟରେ ପୂଜକମାନେ ଗମ୍ଭୀରାରୁ ବାହାରି ମନ୍ଦିର ବେଢ଼ାରେ ଥିବା ପାଶ୍ୱର୍ ଦେବଦେବୀ ଉଗ୍ରତାରା, ନାରସିଂହୀ, ଦୁର୍ଗା, ମଙ୍ଗଳା, ହନୁମାନ, ଜ୍ୱାଳାମୁଖୀ, ବନଦୁର୍ଗା, ବରାହୀ, ଶୀତଳା, ଘଣ୍ଟାସିନୀ, ବଞ୍ଜାରୀ, ରାମଚଣ୍ଡୀ, କାଳୀ, ଭୈରବୀ, ସିଦ୍ଧିଦାତ୍ରୀଙ୍କଠାରେ ନବାନ୍ନ ଲାଗି କରିଥିଲେ।

ସେହିପରି ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ଼, ସୋନପୁର, ନୂଆପଡ଼ା, ଦେବଗଡ଼, ବୌଦ୍ଧ ଜିଲ୍ଲା ତଥା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ ମଧ୍ୟ ଅଧିଷ୍ଠାତ୍ରୀ ଦେବା ଦେବୀଙ୍କଠାରେ ନବାନ୍ନ ଅର୍ପଣ ସହ ଲୋକେ ନୂଆ ଖାଇଛନ୍ତି।

କଳାହାଣ୍ଡି ଜିଲ୍ଳାର ସଦର ମହକୁମା ଭବାନୀପାଟଣା ଏବଂ ପୂର୍ବର ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼, ଯୁଗସାଈପାଟଣା, ଜୟପାଟଣା, ଥୁଆମୂଳରାମପୁର ବ୍ୟତୀତ ଅନ୍ୟ ଅଞ୍ଚଳରେ ମଧ୍ୟ ଆଜି ନୂଆଁଖାଇ ପାଳିତ ହୋଇଛି। ଭବାନୀପାଟଣା ଓ ପୂର୍ବର ଜମିଦାରୀ ଅଞ୍ଚଳରେ ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ ଦେବୀ ମାଣିକେଶ୍ୱରୀଙ୍କଠାରେ ନୂଆଁ ଲାଗିବା ସହ ସେ ଅଞ୍ଚଳବାସୀ ନୂଆ ଖାଇବେ।