ରାଜା ଆଚାର୍ଯ୍ୟ ନାଁରେ ଏନଏସଏ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାତୀୟ ସୁରକ୍ଷା ଆଇନ (ଏନଏସଏ)କୁ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗୁ କରାଯାଇଛି। ଏନଏସଏ ଲାଗୁ କରିବା ପାଇଁ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଦାଦାବଟି ଆଦାୟ ସହ ସାଧାରଣରେ ଆତଙ୍କ ସୃଷ୍ଟି କରୁଥିବାରୁ ଏହି ଆଇନ ଲାଗୁ କରାଯାଇଛି।

ପୁଲିସ ସୂଚନା ଅନୁସାରେ ଚଳିତ ବର୍ଷ ଅକ୍ଟୋବର ମାସରେ ରାଜା ଆଚାର୍ଯ୍ୟକୁ ଟୁଇନ ସିଟି ପୁଲିସ ଗିରଫ କରିଥିଲା। ଗ୍ୟାଙ୍ଗଷ୍ଟର ଜଣଙ୍କ ପ୍ରତିମାସରେ ଜଣେ ଘର ନିର୍ମାଣକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲା। ପୁଲିସ ନିକଟରେ ଏହାର ଅଭିଯୋଗ ହେବାପରେ ପୁଲିସ ତାକୁ ଗିରଫ କରିଥିଲା। ତା ନାଁରେ ପୂର୍ବରୁ ମଧ୍ୟ ୪୦ରୁ ଊର୍ଦ୍ଧ୍ୱ ମାମଲାର ରହିଛି। ଏପରିକି ୨୦୧୭ରେ ବିରଞ୍ଚି ଦାସ ହତ୍ୟା ମାମଲାରେ ଗିରଫ ହୋଇ ସୁପ୍ରିମ କୋର୍ଟରୁ ଜାମିନରେ ଆସିଥିଲା।