ଏଣିକି ସରକାରୀ ବିଦ୍ୟାଳୟମାନଙ୍କରେ ପ୍ରଥମରୁ ଇଂରାଜୀ ଓ ବିଜ୍ଞାନ ପାଠପଢ଼ା ହେବ

ଭୁବନେଶ୍ୱର,୨୯ା୮/ଏନ୍ଏନ୍ଏସ୍: ଏଣିକି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା ହେବ। ସରକାରୀ ସ୍କୁଲ ସମେତ ସରକାରୀ ସ୍ୱିକୃତୀ ପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲର ଏକ ସମୟରେ ପରୀକ୍ଷା ଏବଂ ଏକ ସମୟରେ ପରୀକ୍ଷା ଫଳ ପ୍ରକାଶ ହେବ। ଏ ନେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୋର୍ସ ୟୁନିଫର୍ମରେ ସୁଧାର ଆଣିବାକୁ ଉଦ୍ୟମ ଆରମ୍ଭ ହେବ। ଫଳରେ ରାଜ୍ୟରେ ଥିବା ସରସ୍ୱତୀ ଶିଶୁ ମନ୍ଦିର, ଅରବିନ୍ଦ ଭଳି ସରକାରୀ ସ୍ୱିକୃତୀ ପ୍ରାପ୍ତ ସ୍କୁଲର ଢାଞ୍ଚାରେ ସରକାରୀ ସ୍କୁଲଗୁଡ଼ିକରେ ମଧ୍ୟ ପାଠପଢ଼ା ଆରମ୍ଭ ହେବ। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲରେ ଏକ ପ୍ରକାର କୋର୍ସ ପ୍ରଚଳନ ହେବା ସହ ସମାନ ପାଠ୍ୟକ୍ରମ ଲାଗୁ କରାଯିବ।
ରାଜ୍ୟରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ଅଣଅନୁଦାନପ୍ରାପ୍ତ, ଅଣସ୍ୱିକୃତୀ ପ୍ରାପ୍ତ ଭଳି ଅନେକ ସ୍କୁଲ ରହିଛି। ମୋଟ୍ ଉପରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୬୨ହଜାର ୮୯ଟି ସ୍କୁଲ ରହିଛି। ସେହିପରି ପିଲାଙ୍କ ସଂଖ୍ୟା ୫୯ଲକ୍ଷ ୭୨ହଜାର ୮୭୦ଜଣ ପଢ଼ୁଛନ୍ତି। ସରକାରୀ ସ୍କୁଲରେ ଅନେକ କୋର୍ସ ୩ୟ ଏବଂ ୫ମରୁ ଆରମ୍ଭ ହେଉଥିବା ବେଳେ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲଗୁଡିକରେ ଇଂରାଜୀ, ହିନ୍ଦୀ, ସଂସ୍କୃତ ଭଳି ବିଷୟ ପ୍ରଥମରୁ ଆରମ୍ଭ ହେଉଛି। ଫଳରେ ଏହି ସ୍କୁଲର ପିଲାମାନେ ସରକାରୀ ସ୍କୁଲର ପିଲାଙ୍କ ଠାରୁ ଆଗୁଆ ରହୁଛନ୍ତି। ପ୍ରଥମରୁ ସବୁ ସ୍କୁଲର ପାଠ୍ୟଖସଡ଼ା ଏକାଭଳି ପ୍ରସ୍ତୁତ କରିବା ଏବଂ ଏକ ସମୟରେ ପରୀକ୍ଷା କରି ରେଜଲ୍ଟ ପ୍ରକାଶ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ଜଣାପଡ଼ିଛି।
ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସରକାରୀ ସ୍କୁଲରେ ଇଂରାଜୀ ଏବଂ ବିଜ୍ଞାନ ୩ୟ ଶ୍ରେଣୀରୁ ଆରମ୍ଭ ହୋଇଥାଏ। ତାହା ବି କେବଳ ମୌଖିକ ଭାବେ ପଢ଼ାଯାଇଥାଏ। ଲିଖିତ ଭାବେ ଏହା ହୋଇନଥାଏ। ବିଶେଷକରି ସରକାରୀ ସ୍କୁଲରେ ଯୁକ୍ତାକ୍ଷର ସମ୍ପର୍କରେ ପିଲାଙ୍କୁ ତୃତୀୟରୁ ଶିକ୍ଷାଦାନ ଦିଆଯାଉଥିବାରୁ ଇଂରାଜୀ ଏବଂ ବିଜ୍ଞାନରେ ଶିକ୍ଷାଦାନ ସରକାରୀ ସ୍କୁଲରେ ବିଳମ୍ବରେ ଆରମ୍ଭ ହୋଇଥାଏ। ମାତ୍ର ସରକାରୀ ସ୍ୱିକୃତୀ ପ୍ରାପ୍ତ ସ୍କୁଲଗୁଡ଼ିକରେ ପ୍ରଥମରୁ ଇଂରାଜୀ, ବିଜ୍ଞାନ ଆରମ୍ଭ ହୋଇଥିବା ବେଳେ ଏହା ଉଭୟ ଲିଖିତ ଏବଂ ମୌଖିକ ଭାବେ ପଢ଼ାଯାଇଥାଏ। ଫଳରେ ଏହି ୨ଟି ବିଷୟରେ ସରକାରୀ ସ୍କୁଲର ପିଲାମାନେ ଘରୋଇ ସ୍କୁଲ ପିଲାଙ୍କ ତୁଳନାରେ ପଛୁଆ ରହିଥାନ୍ତି। ତେଣୁ ରାଜ୍ୟରେ ଇଂରାଜୀ ମାଧ୍ୟମ ସ୍କୁଲକୁ ବାଦ୍ଦେଲେ ଅନ୍ୟ ସବୁ ସ୍କୁଲରେ ଗୋଟିଏ ଢ଼ାଞ୍ଚାରେ ଶିକ୍ଷାଦାନ ଏବଂ ସମାନ ମାର୍କର ପରୀକ୍ଷା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ମଧ୍ୟ ସରକାରୀ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ।
ଏନେଇ ଏସ୍ସିଇଆର୍ଟି , ଓସେପା ଏବଂ ଶିକ୍ଷାବିକାଶ ସମିତିର ମିଳିତ ସହଯୋଗ ରହିବ। ଏ ନେଇ ପାଠ୍ୟ ଖସଡ଼ା ପ୍ରସ୍ତୁତି ଲାଗି ଏକ ୧୧ଜଣିଆ କମିଟି ହେବ। ଯେଉଁଥିରେ ପିଲାଙ୍କର ମାନସିକତାକୁ ନଜର ଦେଇ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବ। ତେବେ ଏନେଇ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରିବାକୁ ବିଭାଗ ନିଷ୍ପତ୍ତି ନେଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ୪ଟି ଜିଲ୍ଲାରେ ଆରମ୍ଭ ହେବ। ସେଥିରୁ ଗଞ୍ଜାମ, ନୟାଗଡ଼, ସୁନ୍ଦରଗଡ଼, ରାୟଗଡ଼ାରେ ପ୍ରଥମ ପର୍ଯ୍ୟାୟରେ କୋର୍ସରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି।