ଏଣିକି ବିବାହ ନିମନ୍ତ୍ରଣ କାର୍ଡରେ ବର ଓ ବଧୂ ସାବାଳକ ବୋଲି ଘୋଷଣା କରିବେ ଅଭିଭାବକ

ଦେବଗଡ଼,ଏନ୍ଏନ୍ଏସ୍: ଆଜି ବାରକୋଟ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଡିଓ ଟୁନୁ ମେହେରଙ୍କ ଅଧ୍ୟକ୍ଷତାରେ ଓ ସିଡିପିଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ପ୍ରମିଳା ମିଶ୍ରଙ୍କ ପରିଚାଳନାରେ ବେଟୀ ବଚାଓ ବେଟୀ ପଢାଓ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ପ୍ରତିନିଧି ଯଥା ସରକାରୀ ଅଧିକାରୀ, ସରପଞ୍ଚ, ଚାଇଲ୍ଡଲାଇନ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପୁରୋହିତ, ଟେଣ୍ଟ ମାଲିକ, ଜ୍ୟୋତିଷ ଓ ଶିଶୁମାନେ ବିଭିନ୍ନ ପଞ୍ଚାୟତରୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର “ବେଟୀ ବଚାଓ ବେଟୀ ପଢ଼ାଓ ଯୋଜନା” ଓ “ବାଲ୍ୟ ବିବାହ ନିଷେଧ ଅଧିନିୟମ” ସମ୍ପର୍କରେ ଆଲୋକପାତ କରିଥିଲେ। ସମାଜସେବୀ କୁମୁଦ ଚନ୍ଦ୍ର ଶତପଥୀ ଓ ୱାର୍ଡ ଅନୁଷ୍ଠାନର ରଞ୍ଜନ ପୁହାଣ ଆଗାମୀ ଦିନରେ ବ।ରକୋଟ ବ୍ଲକକୁ ସମ୍ପୂର୍ଣ ରୂପେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଗୋଷ୍ଠୀ ଭିତ୍ତିକ ଯୋଜନା ପ୍ରସ୍ତୁତି ପାଇଁ ତାଲିମ ଦେଇଥିଲେ। କଣ୍ଢଳ ପଞ୍ଚାୟତର ସରପଞ୍ଚ ବିରଞ୍ଚି ବେହେରା ଓ ବସାଲଇ ସରପଞ୍ଚ ଦିଲ୍ଲୀପ ପଟ୍ଟନାୟକଙ୍କ ମତାମତ କ୍ରମେ ବିବାହ ନିମନ୍ତ୍ରଣ କାର୍ଡରେ ବର ଓ ବଧୂ ସାବାଳକ ବୋଲି ଅଭିଭାବକମାନେ ବାଧ୍ୟତାମୂଳକ ଭାବେ ମୁଦ୍ରଣ କରିବେ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା।

ଏ ସମ୍ପର୍କରେ ୱାର୍ଡ ମେମ୍ବରମାନଙ୍କ ଜରିଆରେ ସମସ୍ତଙ୍କୁ ଅବଗତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବିଡିଓ ଶ୍ରୀ ମେହେରଙ୍କ ପ୍ରସ୍ତାବ କ୍ରମେ ବାରକୋଟ ବ୍ଲକରେ ବିବାହ ପୂର୍ବରୁ ପୁରୋହିତମାନେ ଓ ମନ୍ଦିର କମିଟି, ବର ଓ କନ୍ୟାର ଜନ୍ମ ପ୍ରମାଣପତ୍ର କିମ୍ବା ସ୍କୁଲ ସାର୍ଟିଫିକେଟ ଦେଖି ସେମାନଙ୍କ ବିବାହ ସମ୍ପର୍ଣ୍ଣ କରିବେ ବୋଲି ନିଷ୍ପତ୍ତି ହୋଇଛି। କାର୍ଯ୍ୟକ୍ରମ ଶେଷରେ ସମାଜସେବୀ ଭାରତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।