ଏବେ ଜିଓରୁ ଅନ୍ୟ ନମ୍ବରକୁ କଲ କଲେ ୬ ପଇସା ପଡ଼ିବ

ନୂଆଦିଲ୍ଲୀ,ଏଜେନ୍ସି: ରିଲାଏନ୍ସ ଜିଓ ପକ୍ଷରୁ ଆଉଟ୍‌ଗୋଇଙ୍ଗ୍‌ କଲ୍‌ ଉପରେ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଜିଓ ଗ୍ରାହକମାନେ ଅନ୍ୟ କମ୍ପାନୀର ମୋବାଇଲ ନମ୍ବରକୁ କଲ୍‌ କଲେ  ମିନିଟ୍ ପିଛା ୬ପଇସା ପଡ଼ିବ। ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜ(ଆଇୟୁସି) ବାବଦରେ ଗ୍ରାହକଙ୍କୁ ଏହି ଶୁଳ୍କ ଦେବାକୁ ପଡ଼ିବ। ସେହିପରି ଜିଓ ନମ୍ବର, ଲ୍ୟାଣ୍ଡଲାଇନ୍ ନମ୍ବର ଏବଂ ହ୍ବାଟ୍ସଆପ୍‌ କଲ୍ ପ୍ରଭୃତି ସେବା ମାଗଣା ରହିଛି। ସମସ୍ତ ଇନକମିଂ କଲ୍ମାଗଣା ରହିବ। ଯେଉଁମାନେ ନୂଆ ରିଚାର୍ଜ କରିବେ ସେମାନଙ୍କ ପାଇଁ କମ୍ପାନୀ ସ୍ୱତନ୍ତ୍ର ଆଇୟୁସି ଭାଉଚର୍‌ ଆଣିଛି। ତାହା ୧, ୨, ୫୦ ଏବଂ ୧୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି। ପ୍ରତି ଭାଉଚର୍‌ରେ କିଛି ମିନିଟ୍‌ର କଲ୍‌ ସମୟ ଏବଂ କିଛି ପରିମାଣର  ମାଗଣା ଡାଟା ରହିଛି। ଭାଉଚର୍‌ର ମୂଲ୍ୟ ଯେତିକି ସେହି ପରିମାଣର ଡାଟାକୁ କମ୍ପାନୀ ମାଗଣାରେ ପ୍ରଦାନ କରିବ। ଏହି ଉପାୟରେ ଗ୍ରାହକଙ୍କ ଖର୍ଚ୍ଚକୁ କମ୍ପାନୀ ଭରଣା କରିବ ବୋଲି କହିଛି। ଆସନ୍ତାକାଲି ଠାରୁ ଯେଉଁ ଗ୍ରାହକମା‌ନେ ନିଜ ଜିଓ ନମ୍ବରକୁ ରିଚାର୍ଜ କରିବେ ସେମାନଙ୍କୁ ଏହି ସ୍ବତନ୍ତ୍ର ଭାଉଚର୍‌ କିଣିବାକୁ ପଡ଼ିବ। ମାତ୍ର ଯେଉଁମାନଙ୍କ ନମ୍ବରରେ ପୂର୍ବରୁ କୌଣସି ପ୍ଲାନ୍‌ ସକ୍ରିୟ  ରହିଛି ତାହାର ଅବଧି ଶେଷ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଏହି ଭାଉଚର୍‌ ଦରକାର ପଡ଼ିବ ନାହିଁ। ସେମାନେ ପୂର୍ବ ଭଳି ଅନ୍ୟ ନମ୍ବରକୁ ମାଗଣାରେ ଆଉଟ୍‌ଗୋଇଙ୍ଗ୍‌ କଲ୍‌ କରିପାରିବେ ବୋଲି କଂପାନୀ ପକ୍ଷରୁ କୁହାଯାଉଛି।