ଏଣିକି ପାଠପଢ଼ାର ମାସିକିଆ ରିପୋର୍ଟ ଦେବେ ପ୍ରଧାନଶିକ୍ଷକ

ଭୁବନେଶ୍ୱର,୨୯।୮/ଏନ୍ଏନ୍ଏସ୍: ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନରେ ସର୍ବାଧିକ ସଂସ୍କରଣ ଆଣିବାକୁ ସରକାର ଯୋଜନା କରିଛନ୍ତି। ଶ୍ରେଣୀରେ ଦୁର୍ବଳ ପିଲାଙ୍କର ଦକ୍ଷତା ବୃଦ୍ଧି ଲାଗି ଉଜ୍ଜ୍ୱଳ, ଉତ୍ଥାନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏଣିକି ଯେପରି ପିଲାଙ୍କ ଦକ୍ଷତା ସର୍ବନିମ୍ନ ୫୦ପ୍ରତିଶତ ଉପରକୁ ରହିବ ସେ ଦିଗରେ ପ୍ରଧାନଶିକ୍ଷକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାଦାନ ପଦ୍ଧତିରେ ସଂସ୍କାର ଆଣିବା ସହ ଦକ୍ଷତା ମାପିବା ଲାଗି ଏଣିକି ଆରମ୍ଭ ହେବ କ୍ଲାସ ଟେଷ୍ଟ। ବାର୍ଷିକ ପରୀକ୍ଷା ପୂର୍ବରୁ ୪ଟି କ୍ଲାସ ଟେଷ୍ଟ୍ ଏବଂ ଗୋଟିଏ ଷାଣ୍ମାସିକ ପରୀକ୍ଷା କରାଯିବ। ଏଣିକି ଶିକ୍ଷକଙ୍କ ତୁଳନାରେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱକୁ ବୃଦ୍ଧି କରାଯାଇଛି। ପ୍ରତ୍ୟେକ ପିଲା ଯେପରି ସର୍ବନିମ୍ନ ୫୦ପ୍ରତିଶତ ଉପରକୁ ଦକ୍ଷତା ହାସଲ କରିବ ସେ ନେଇ ପ୍ରଧାନଶିକ୍ଷକମାନେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ। ଏହାବ୍ୟତୀତ ଏଣିକି ପ୍ରତି ମାସରେ ସବୁ ବିଷୟର ମାସିକିଆ ରିପୋର୍ଟ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ। ଫଳରେ ରାଜ୍ୟରେ କେଉଁ ସ୍କୁଲରେ କେତେ କୋର୍ସ ସରୁଛି ସେ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅବଗତ ରହିବେ। ଏହି ଏକାଡେମିକ କ୍ୟାଲେଣ୍ଡର ଖୁବଶୀଘ୍ର ରାଜ୍ୟ ସ୍କୁଲ ସ୍ତରରେ ପ୍ରଚଳନ ହେବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ନୈରାଶ୍ୟଜନକ ରେଜଲ୍ଟ କରିଥିବା ସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଶିକ୍ଷକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ରାଜ୍ୟରେ ଶିକ୍ଷକଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ମଧ୍ୟ ସବୁ ସ୍ତରରେ ସ୍ୱାଗତ୍ କରାଯାଇଛି। ତେବେ ସରକାରୀ ସ୍କୁଲରେ ପିଲାଙ୍କ ଦକ୍ଷତା ବୃଦ୍ଧି ଏବଂ ପାସ୍ହାର ବଢ଼ାଇବା ଲାଗି ସରକାର ଉଦ୍ୟମ କରୁଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଶିକ୍ଷା ଅଧିକାର ଆଇନ୍ କାର୍ଯ୍ୟକାରୀ ହେବା ପରେ ଉଭୟ ପ୍ରାଥମିକ ,ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାରେ ଅନେକ ପରିବର୍ତ୍ତନ ହୋଇଛି।
ପ୍ରତିବର୍ଷ ପରି ଜୁଲାଇରୁ ପାଠପଢ଼ା ଆରମ୍ଭ ହେଇ ଅକ୍ଟୋବରରେ କ୍ଲାସ୍ ଟେଷ୍ଟ୍ କରାଯିବ। ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଷଡ଼ମାସିକ ପରୀକ୍ଷା, ଫେବୃଆରୀରେ ୨ୟ ପର୍ଯ୍ୟାୟ କ୍ଲାସ ଟେଷ୍ଟ ଏବଂ ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ବାଧ୍ୟତାମୂଳକ କରାଯିବ। ଫେବୃଆରୀ ସୁଦ୍ଧା କୋର୍ସ ଶେଷ ହେବ ଏବଂ ମାର୍ଚ୍ଚରେ ରିଭିଜନ କରାଯିବ। ସେହିପରି ବାର୍ଷିକ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ଶେଷ ସପ୍ତାହ ପର୍ଯ୍ୟନ୍ତ ପାଠପଢ଼ା ହେବ। ଯଦି ଖରା ଅଧିକ ରହେ ତେବେ ଆବଶ୍ୟକ ସ୍ଥଳେ ଏପ୍ରିଲ ପ୍ରଥମ ସପ୍ତାହରୁ ଖରାଛୁଟି କରାଯିବ। ଏପ୍ରିଲ ୧୫ସୁଦ୍ଧା ମାଗଣା ପାଠ୍ୟପୁସ୍ତକ ବଣ୍ଟାଯିବ। ଯଦି ଆଉ କିଛି ପୁସ୍ତକ ପ୍ରକାଶରେ ବିଳମ୍ବ ଘଟେ ତେବେ ସମ୍ପୃକ୍ତ ପୁସ୍ତକ ଜୁନ୍ ଶେଷ ସୁଦ୍ଧା ବାଣ୍ଟିବାକୁ ବାଧ୍ୟତାମୂଳକ କରାଯିବ। ସେହିପରି ପ୍ରତିବର୍ଷ ଜାନୁଆରୀରେ ବାର୍ଷିକ କ୍ରୀଡା ଏବଂ ବାର୍ଷିକ ଉତ୍ସବ ବାଧ୍ୟତାମୂଳକ ରହିବ। ବାର୍ଷିକ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ୧୫ତାରିଖ ମଧ୍ୟରେ ଫଳ ପ୍ରକାଶ କରାଯିବ। ପ୍ରତିବର୍ଷ ସବୁ ପିଲାଙ୍କର୨ଟି କ୍ଲାସ ଟେଷ୍ଟର ରିପୋର୍ଟ ଏବଂ ବାର୍ଷିକ ରେଜଲ୍ଟ ରିପୋର୍ଟ ମେ’ ଶେଷ ସୁଦ୍ଧା ବିଭାଗ ପକ୍ଷରୁ ଦାଖଲ କରିବା ବାଧ୍ୟତାମୂଳକ ହୋଇଛି।
ଏହାବ୍ୟତୀତ ଏଣିକି ପ୍ରଧାନଶିକ୍ଷକ ପାଠପଢ଼ାଇବା ସହ ସବୁ କ୍ଲାସ ପରିଦର୍ଶନ କରିବେ। କ୍ଲାସ ପରୀକ୍ଷାରେ ଯେପରି ପିଲାଙ୍କର ମାର୍କ ୫୦ପ୍ରତିଶତ ଉପରକୁ ରହିବ ସେ ଦିଗରେ ଗୁରୁତ୍ୱ ଦେବେ। ଷଷ୍ଠରୁ ଦଶମ ଶ୍ରେଣୀ ଲାଗି ଦୈନିକ ସ୍କୁଲ ଛୁଟି ପରେ ୧୫ ମିନିଟ୍ ପ୍ରଧାନଶିକ୍ଷକ ଶିକ୍ଷକଙ୍କ ସହ ଆଲୋଚନା କରିବେ।