ସାମାଜିକ ଦୂରତ୍ୱ ସହ ହେବ ପରୀକ୍ଷା ଖାତା ଦେଖା, ମୂଲ୍ୟାୟନ କେନ୍ଦ୍ର ବଢ଼ାଯିବ: ସମୀର ଦାସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଢ଼ିବ ମ୍ୟାଟ୍ରିକ ମୂଲ୍ୟାୟନ କେନ୍ଦ୍ର, ଏଥିସହିତ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯିବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ସମୟରେ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ାଯିବା ନେଇ ମନ୍ତ୍ରୀ କହିଛନ୍ତି। ଏଥିସହ ଖାତା ଦେଖିବା ଲାଗି ଯେଉଁଠି ସବୁ କେନ୍ଦ୍ର ହୋଇଛି ତା ସହିତ ପାଖ ସ୍କୁଲକୁ ଯୋଡାଯାଇଛି।

ସେଠାରୁ ଖାତାଗୁଡ଼ିକ ମୂଲ୍ୟାୟନ ପରେ ପୁଣି କେନ୍ଦ୍ରକୁ ଫେରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଏଥିସହିତ ଖାତା ମୂଲ୍ୟାୟନ କାରୀଙ୍କ ସଂଖ୍ୟା ବଢ଼ାଯିବ। ସେହିପରି ୱେଟିଂଲିଷ୍ଟରେ ଥିବା ଶିକ୍ଷକଙ୍କୁ ଖାତା ଦେଖିବା ପାଇଁ ପଠାଯିବ। ତେବେ ଖାତା ଦେଖା ଆରମ୍ଭର ୪୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

ଏହା ବ୍ୟତୀତ ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ କଟକ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ସମ୍ବଲପୁର ଜୋନ ଅଫିସରେ ମିଳିବ। ଏହି ପରିପ୍ରେକ୍ଷୀରେ କଟକ ଜୋନ ଅଫିସରୁ ଅନ୍ୟ ଜୋନକୁ ବହି ପଠାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।