ବେଜିଂ: ଚୀନରେ ନଭେଲ କରୋନା ଭାଇରସ୍ ସଂକ୍ରମଣ କାୟାବିସ୍ତାର କରିଚାଲିଛି। ସଂକ୍ରମିତ ଲୋକେ ପୋକମାଛି ପରି ମରୁଥିବା ଦେଖାଯାଇଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୫୬୪କୁ ବୃଦ୍ଧି ପାଇଥିଲାବେଳେ ପ୍ରାୟ ୩୦ ହଜାର ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଚୀନ୍ର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଗୁରୁବାର କହିଛନ୍ତି, ଗତ ବୁଧବାର ଗୋଟିଏ ଦିନରେ ସର୍ବାଧିକ ୭୩ ଜଣ ପ୍ରାଣ ହରାଇଛନ୍ତି। ଏହି ୭୩ ଜଣଙ୍କ ମଧ୍ୟରୁ ୭୦ ଜଣ ହେଲେ ଚୀନ୍ର କରୋନା ଭାଇରସ୍ ସଂକ୍ରମଣପ୍ରବଣ ହୁବେଇର ୟୁହାନ ଅଞ୍ଚଳର। ଏହାଛଡ଼ା ପୁଣି ୫୩୨୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ୨୯୮୭ ଜଣ ହେଲେ ହୁବେଇ ଅଞ୍ଚଳର। ଇତିମଧ୍ୟରେ ହଂକଂରେ ୧୦ ଜଣ ଓ ତାଇୱାନ୍ରେ ୧୧ ଜଣ ଏହି ଭୂତାଣୁରେ ସଦ୍ୟ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। ୟୁହାନରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ହସ୍ପିଟାଲ୍ ଖୋଲାଯାଇଥିବାରୁ ଏହି ରୋଗୀଙ୍କୁ ଭଲଭାବରେ ଚିକିତ୍ସା କରାଯାଇପାରିବ ବୋଲି ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ଚୀନ୍ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କରୋନା ଭାଇରସ୍ର ପ୍ରତିକାର ପାଇଁ ରେମଡେସିଭିର ନାମକ ଏକ ନୂଆ ଔଷଧ ଆବିଷ୍କାର କରାଯାଇଛି। ଏହାର କ୍ଲିନିକାଲ୍ ପରୀକ୍ଷା ଖୁବ୍ଶୀଘ୍ର କରାଯିବ।ଉଲ୍ଲେଖଯୋଗ୍ୟ ବିଶ୍ୱରେ ଇବୋଲା ସଂକ୍ରମଣର ଚିକିତ୍ସା ପାଇଁ ରେମଡେସିଭିରର ଉପଯୋଗ କରାଯାଇଆସୁଛି ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି।
୬ ଫେବୃଆରୀ ସୁଦ୍ଧା ୧୨୬୫ଟି ବିମାନରେ ଭାରତକୁ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି ଏହି ଭୂତାଣୁରେ ସଂକ୍ରମିତ ହେବାର ସୂଚନା ମିଳିନାହିଁ। ଚୀନ୍ର ୟୁହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ ରକ୍ତ ନମୁନା ନେଗେଟିଭ୍ ବାହାରିଛି। ଫଳରେ ସେମାନେ ସଂକ୍ରମଣମୁକ୍ତ ବୋଲି ସ୍ପଷ୍ଟ ହୋଇଛି। ଏପର୍ଯ୍ୟନ୍ତ କେବଳ କେରଳରେ ୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି।
ଏହି ପରିପ୍ରେକ୍ଷୀରେ ଗୁରୁବାର ଭାରତର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅନୁଧ୍ୟାନ ଗୋଷ୍ଠୀର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା। ଚୀନ୍ରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆବଶ୍ୟକ ଯାଞ୍ଚ ଅବଧି ବୃଦ୍ଧି ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଜ୍ୱର, କଫ ଓ ନିମୋନିଆର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।
ୟୁହାନରୁ ପାକ୍ ଛାତ୍ରଙ୍କୁ ଉଦ୍ଧାର ପାଇଁ ଭାରତ ପ୍ରସ୍ତୁତ
ଚୀନ୍ର ୟୁହାନରେ କରୋନା ଭାଇରସ୍ ସଂକ୍ରମଣ ଗୁରୁତର ରୂପ ନେବାପରେ ଭାରତ ଇତିମଧ୍ୟରେ ସେଠାରେ ଥିବା ୬୪୫ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି। ତେବେ ୟୁହାନରେ ଅଧ୍ୟୟନ କରୁଥିବା ପାକିସ୍ତାନୀ ଛାତ୍ରଙ୍କୁ ଉଦ୍ଧାର ପାଇଁ ଇସଲାମାବାଦ ପଦକ୍ଷେପ ନେଇନାହିଁ। ଏହି ପରିପ୍ରେକ୍ଷୀରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଯଦି ଆବଶ୍ୟକ ପଡ଼େ ଭାରତ ୟୁହାନରେ ଥିବା ପାକିସ୍ତାନୀ ଛାତ୍ରଙ୍କୁ ଉଦ୍ଧାର କରି ଆଣିବାକୁ ପଦକ୍ଷେପ ନେବ। କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ ଏଥିନେଇ ଭାରତକୁ କୌଣସି ଅନୁରୋଧ ଜଣାଇ ନାହିଁ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ପାକ୍ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଅନୁରୋଧ କରାଯାଇ ନାହିଁ। ସେଭଳି ପ୍ରସ୍ତାବ ଆସିଲେ ଆମର ସମ୍ବଳକୁ ବିଚାର କରି ଆମେ ଏ ଦିଗରେ ପଦକ୍ଷେପ ନେବାକୁ ଚିନ୍ତା କରିବୁ। ପାକିସ୍ତାନ ପକ୍ଷରୁ ଏଭଳି ଅନୁରୋଧ ଆସିଲେ ତାହା କାର୍ଯ୍ୟକାରୀ କରିବା ପାଇଁ କେଉଁସବୁ ସର୍ତ୍ତ ରଖାଯିବ ତାହା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ୟୁହାନରେ ଥିବା ଭାରତୀୟ ଛାତ୍ରମାନଙ୍କୁ ସରକାରଙ୍କ ପକ୍ଷରୁ ଉଦ୍ଧାର କରାଯିବାକୁ ଲକ୍ଷ୍ୟକରି ପାକିସ୍ତାନୀ ଛାତ୍ରମାନେ ନିଜ ଦେଶର ସରକାରଙ୍କ ବିରୋଧରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ସୋସିଆଲ ମିଡିଆରେ ଏ ସମ୍ପର୍କିତ ଭିଡିଓ ପୋଷ୍ଟ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଭାରତୀୟ ଛାତ୍ରମାନେ ବସ୍ ଚଢ଼ି ଏୟାରପୋର୍ଟ ଯିବାର ଦୃଶ୍ୟ ପାକିସ୍ତାନୀ ଛାତ୍ରମାନେ ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏଥିରେ କୁହାଯାଇଛି, ଭାରତ ତା’ର ନାଗରିକମାନଙ୍କୁ ଉଦ୍ଧାର କରିଥିଲାବେଳେ ପାକିସ୍ତାନ ସରକାର କହୁଛନ୍ତି, ତୁମେ ମଲେ ମର, ଆମେ ତୁମକୁ ଉଦ୍ଧାର କରିପାରିବୁ ନାହିଁ। ପାକିସ୍ତାନୀ ଛାତ୍ରମାନେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି।