ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ଓଡ଼ିଶାର ୪ଆସନ ପାଇଁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଅନୁଭବ ମହାନ୍ତି, ରଞ୍ଜିବ୍ ବିଶ୍ୱାଳ, ନରେନ୍ଦ୍ର ସ୍ୱାଇଁ ଓ ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ଏପ୍ରିଲ ୨ତାରିଖରେ ଶେଷ ହେବ।

ଏ ନେଇ ଓଡ଼ିଶା ବିଧାନସଭା ସଚିବ ତଥା ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ କହିଛନ୍ତି ଯେ ପ୍ରାର୍ଥୀମାନେ ମାର୍ଚ୍ଚ ୬ତାରିଖରୁ ୧୩ ତାରିଖ ମଧ୍ୟ ପୂର୍ବାହ୍ଣ ୧୧ଟାରୁ ୩ଟା ମଧ୍ୟରେ ସଚିବ ଦାଶରଥୀ ଶତପଥୀ କିମ୍ବା ଉପସଚିବ ଶିଶିରକାନ୍ତ ସ୍ୱାଇଁଙ୍କ ନିକଟରେ ମନୋନୟନ ପତ୍ର ଦାଖଲ କରିପାରିବେ। ମାର୍ଚ୍ଚ ୧୬ତାରିଖ ପୂର୍ବାହ୍ଣ ୧୧ଟା ୩୦ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ମାର୍ଚ୍ଚ ୧୮ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବାକୁ ସମୟ ଧାର୍ଯ୍ୟ ହୋଇଛି। ୨୬ତାରିଖ ବିଧାନସଭାର ରୁମ୍ ନଂ-୫୪ରେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହା ଭିତରେ ରହିଛି ଓଡ଼ିଶାର ୪ଟି ରାଜ୍ୟସଭା ଆସନ ।