ପୂର୍ତ୍ତ ବିଭାଗ ଏବଂ ଠିକାସଂସ୍ଥାର ମଧୁଚନ୍ଦ୍ରିକା: ଅବଧି ସରି ଅଢ଼େଇ ବର୍ଷ ବିତିଲା, ସରିନି ବ୍ରିଜ ନିର୍ମାଣ

ରାୟଗଡା,ଏନ୍ଏନ୍ଏସ୍: ପୂର୍ତ୍ତବିଭାଗ ଓ ଠିକାସଂସ୍ଥାର ମଧୁଚନ୍ଦ୍ରିକା ଏବେ ଦାଣ୍ଡରେ ପଡ଼ି ବାଟରେ ଗଡ଼ୁଛି। ଧାର୍ଯ୍ୟ ସମୟ ଅବଧିକୁ ଅଢ଼େଇ ବର୍ଷ ବିତିଯାଇଥିଲେ ସୁଧା ଅଧାରେ ଅଟକି ରହିଛି ବ୍ରିଜ ନିର୍ମାଣ କାର୍ଯ୍ୟ। ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀ ଉପରେ ନିର୍ମାଣାଧୀନ ଏହି ବ୍ରିଜଟି ଆନ୍ଧ୍ର ରାୟଗଡ଼ାକୁ ଯୋଗାଯୋଗର ଏକମାତ୍ର ମାଧ୍ୟମ। ପ୍ରସ୍ତାବିତ ବ୍ରିଜଟି ୬୨ ମିଟର ଲମ୍ବର ନିର୍ମାଣ ହେଉଛି।

ସୂଚନା ଅନୁସାରେ ଗତ ୨୦୧୬-୧୭ ବର୍ଷରେ ରାଜ୍ୟ ଯୋଜନା ଅଧୀନ ଏପ୍ରିଲ ମାସ ୧୫ ତାରିଖ ଦିନ ଆନ୍ଧ୍ର ଠିକଦାରଙ୍କୁ ନିର୍ମାଣ ସକାଶେ ୧୦ କୋଟି ୩୪ ଲକ୍ଷ ୪୭ ହଜାର ଟଙ୍କା ଅଟକଳ ବ୍ୟୟରେ ଟେଣ୍ଡର ପ୍ରଦାନ ହୋଇଥିଲା। ନିର୍ମାଣ କାର୍ଯ୍ୟ ଆରମ୍ଭଠୁ ଏକବର୍ଷ ମଧ୍ୟରେ ଏହାକୁ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଉଦାସିନର ବିଷୟ ନିର୍ଦ୍ଧାରିତ ସମୟ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ଅନ୍ୟପଟେ ବର୍ତ୍ତମାନ ଓଡ଼ିଶା ଓ ଆନ୍ଧ୍ରକୁ ଯୋଡୁଥିବା ଏକମାତ୍ର ବ୍ରିଟିଶ ଅମଳ ବ୍ରିଜ ପ୍ରାୟ ୧୦୦ ବର୍ଷରୁ ଊର୍ଦ୍ଧ୍ୱର ହୋଇଥିବାରୁ ଏହାକୁ ସମୟାନୁକ୍ରମେ ମରାମତି କରାଯାଉ ନ ଥିବାରୁ ଏହା ବିପଦ ଶଙ୍କୁଳ ହୋଇପଡିଛି। ଶିଳ୍ପାଞ୍ଚଳ ଜିଲ୍ଲା ରାୟଗଡ଼ାକୁ ପଡୋଶୀ ଆନ୍ଧ୍ରସହ ଯୋଡିବା ପାଇଁ ଏହା ଏକମାତ୍ର ମାଧ୍ୟମ ହୋଇପଡିଛି। ଜିଲ୍ଲାରେ ପ୍ରତିଷ୍ଠିତ ବୃହତ ଶିଳ୍ପ ପ୍ରତିଷ୍ଠାନଗୁଡିକ କଞ୍ଚାମାଲ ପରିବହନ ସକାଶେ ଉକ୍ତ ବ୍ରିଜଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।