ଉତ୍ତରକୋରିଆର ରକେଟ୍ ଲଂଚର୍ ପରୀକ୍ଷଣ

ଜାପାନ, ଦକ୍ଷିଣ କୋରିଆର ସମାଲୋଚନା ,ବିନା କାରଣରେ ଶତ୍ରୁ ମଣିବା ଅନୁଚିତ: କେସିଏନ୍ଏ

ସିଓଲ୍, ଏଜେନ୍ସି : ଶୁକ୍ରବାର ଉତ୍ତରକୋରିଆ ପୁଣି ଗୋଟିଏ ଶକ୍ତିଶାଳୀ ରକେଟ୍ ଲଂଚର୍ ପରୀକ୍ଷଣ କରିଛି ବୋଲି ଉତ୍ତରକୋରିଆ ସରକାରୀ ସମ୍ବାଦ ସଂସ୍ଥା କେସିଏନଏ ସୂତ୍ରରୁ ପ୍ରକାଶ। ଉତ୍ତରକୋରିଆର ସାମରିକ ପଦକ୍ଷେପକୁ ପଡ଼ୋଶୀ ଜାପାନ ଓ ଦକ୍ଷିଣକୋରିଆ ତୀବ୍ର ପ୍ରତିବାଦ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସହ ଉତ୍ତରକୋରିଆ ଶାସକ କିମ୍ ଜୋଙ୍ଗ-ଉନ୍ ପରମାଣୁ ନିରସ୍ତ୍ରୀକରଣ ଆଲୋଚନା ଜାରି ରଖିଥିବା ବେଳେ ଯୁଦ୍ଧାସ୍ତ୍ର ନିର୍ମାଣ ଚାଲୁ ରହିଛି। ବହୁବିଧୂ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରହିଛି। ଗତ ଅଗଷ୍ଟ ଓ ସେପ୍ଟେମ୍ବରରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଉତ୍ତରକୋରିଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚକିତ କରି ଦେଇଥିଲା।

ପରମାଣୁ ନିରସ୍ତ୍ରୀକରଣ ରାଜିନାମାକୁ ଟ୍ରମ୍ପ ଯେତିକି ବିଳମ୍ବ କରିବେ, ଉତ୍ତରକୋରିଆ ଆତ୍ମରକ୍ଷା ପାଇଁ ଯୁଦ୍ଧ ସରଞ୍ଜାମ ପ୍ରସ୍ତୁତ କରୁଥିବ ବୋଲି କିମ୍ ଏକପ୍ରକାର ଚେତାବନୀ ଦେଇଥିଲେ। ଗୁରୁବାର ଅପରାହ୍ଣରେ ମଧ୍ୟମ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହେବାର ଦେଖି ଉତ୍ତରକୋରିଆ ଶାସକ କିମ୍ ବେଶ୍ ଉତଫୁଲ୍ଲିତ ହୋଇଥିଲେ। ଉତ୍ତରକୋରିଆରୁ ପ୍ରସାରିତ ସମ୍ବାଦପତ୍ର ପ୍ରଥମ ପୃଷ୍ଠାରେ ରକେଟ୍ ଲଞ୍ଚର୍ ଧୂଆଁ ଭିତରେ କିମଙ୍କ ଫଟୋ ପ୍ରକାଶ ପାଇଥିଲା। ଶତ୍ରୁପକ୍ଷକୁ ଚମକାଇ ଦେବାର କ୍ଷମତା ଏହି ରକେଟ୍ ଲଞ୍ଚର୍ ନିକଟରେ ଅଛି କହି କିମ୍ ଖୁସିରେ ଆତ୍ମହରା ହୋଇଯାଇଛନ୍ତି। ଜାପାନର ମୁଖ୍ୟ କ୍ୟାବିନେଟ୍ ସଚିବ ୟୋଶିହିଦେ ସୁଗାଙ୍କ ସୂଚନା ମୁତାବକ ଉତ୍ତରକୋରିଆ ମିଳିତ ଜାତିସଂଘ ନିୟମାବଳୀ ଉଲ୍ଲଙ୍ଘନ କରି କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବାରୁ ଅକ୍ଷମଣୀୟ ଅପରାଧ କରିଛି। ଉତ୍ତରକୋରିଆର ଏପ୍ରକାର ଆଭିମୁଖ୍ୟକୁ ଯୁକ୍ତରାଷ୍ଟ୍ର ଆମେରିକାର ରିପବ୍ଲିକାନ୍ ସିନେଟର କୋରି ଗାର୍ଡନର ନାପସନ୍ଦ କରିଛନ୍ତି।

ଉତ୍ତରକୋରିଆ ବିରୋଧରେ ଟ୍ରମ୍ପ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବା ଦରକାର। ଏକଚ୍ଛତ୍ରବାଦୀ ଶାସକ କିମ ଜୋଙ୍ଗ-ଉନ୍ ପ୍ରତି ଆନ୍ତର୍ଜାତିକ ବାସନ୍ଦ ନୀତି ଆହୁରି କଡ଼ା ହେବା ଉଚିତ। ଅବଶ୍ୟ ଦକ୍ଷିଣ କୋରିଆର ଜାତୀୟ ନିରାପତ୍ତା ପରାମର୍ଶଦାତା ଚୁଙ୍ଗ ୟୁଇ-ୟଙ୍ଗଙ୍କ ମତରେ ଉତ୍ତରକୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ଜଘନ୍ୟ ଅପରାଧ ନୁହେଁ। ଅନ୍ୟ ଦେଶ ଭଳି ଉତ୍ତରକୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣ କରି କିଛି ଭୁଲ କରିନି। ସଂସଦୀୟ ଅଧିବେଶନରେ ଯୋଗ ଦେଇ ଚୁଙ୍ଗ କହିଛନ୍ତି, ଆମ କ୍ଷେପଣାସ୍ତ୍ରର ମୁକାବିଲା କ୍ଷମତା ସେମାନଙ୍କଠାରୁ ଯଥେଷ୍ଟ ଗୁଣ ଅଧିକ। ଅକ୍ଟୋବର ୫ରେ ସ୍ୱିଡେନରେ ଅନୁଷ୍ଠିତ ଯୁକ୍ତରାଷ୍ଟ୍ର ଆମେରିକା ଓ ଉତ୍ତରକୋରିଆ ବୈଠକ ବିନା ରାଜିନାମାରେ ଶେଷ ହୋଇଯାଇଥିଲା। ଗତମାସରେ କେସିଏନଏ କହିଥିଲା ଯେ କିମ୍ ଓ ଟ୍ରମ୍ପଙ୍କ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ଗଢ଼ିଉଠିଛି। ବିନା କାରଣରେ ଡିପିଆରକେ (ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆ)କୁ ଶତ୍ରୁ ମଣିବା ୱାଶିଂଟନ ପକ୍ଷେ ଶୋଭନୀୟ ନୁହେଁ।