ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ସମସ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଥାଣେ କୋର୍ଟ ଆଜି ପରମବୀରଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି। ପରମବୀର ଟଙ୍କା ଆଦାୟ ମାମଲାରେ ଫେରାର ରହିବା ସହ ପଚରାଉଚୁରା ପାଇଁ ହାଜର ହେଉନଥିବାରୁ ପୁଲିସ ତାଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିବାକୁ କୋର୍ଟରେ ଆବେଦନ ଦାୟର କରିଥିଲା।
ସୂଚନାଯୋଗ୍ୟ, ପରମବୀର ସିଂହଙ୍କୁ ମୁମ୍ବାଇ ପୁଲିସ କମିଶନର ପଦରୁ ହଟାଯିବା ପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖିଥିଲେ। ଉକ୍ତ ପତ୍ରରେ ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ରେସ୍ତୋରାଁ ଓ ବାରରୁ ଟଙ୍କା ଆଦାୟ କରିବା ପାଇଁ ପୁଲିସ ଅଧିକାରୀଙ୍କୁ କହୁଥିବା ସେ ଉଲ୍ଲେଖ କରିଥିଲେ।