ହାଇଦ୍ରାବାଦ,ଏଜେନ୍ସି: ସାହିତ୍ୟ କ୍ଷେତ୍ରରେ ଘୋଷଣା ହୋଇଛି ଚଳିତ ବର୍ଷର ନୋବେଲ ପୁରସ୍କାର ୨୦୨୨ । ସାହିତ୍ୟରେ ଉତ୍କୃଷ୍ଟତା ପାଇଁ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ମିଳିଛି ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ । ସାହିତ୍ୟ କ୍ଷେତ୍ରରେ ନିଜ କଲମ ମୁନରେ ଦେଖାଇଥିବା ସାହସିକତା ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିଛି ।
ତାଙ୍କ କଲମ ମୁନରେ ସେ ନିଜ ବ୍ୟକ୍ତିଗତ ଜୀବନର ଅନେକ ସ୍ମୃତିକୁ ମଧ୍ୟ ପ୍ରକାଶିତ କରିଥାନ୍ତି । ସେ ବ୍ୟକ୍ତିଗତ ସ୍ମୃତିର ମୂଳ, ବିଚ୍ଛିନ୍ନତା ଏବଂ ସାମୂହିକ ପ୍ରତିବନ୍ଧକକୁ ମଧ୍ୟ ଭାଷା ମାଧ୍ୟମରେ ପ୍ରକାଶ କରନ୍ତି । ସୂଚନା ଥାଉ କି ଗତ ମଙ୍ଗଳବାର ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଆଲେନ୍ ଆସପେକ୍, ଜନ୍ କ୍ଲଜର ଏବଂ ଆଣ୍ଟନ୍ ଜେଲିଞ୍ଜର୍ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।
ସେହିପରି ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ କାରୋଲିନ ଆର ବେରଟୋଜି, ମୋର୍ଟେନ ମେଲ୍ଡାଲ ଏବଂ କେ. ବେରି ଶାର୍ପଲେସଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର । କ୍ଲିକ୍ ଏବଂ ବାୟୋଅର୍ଥଗୋନାଲ୍ ରସାୟନର ବିକାଶ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯିବ ।
ସୂଚନା ଥାଉ କି ୨୦୨୨ ନୋବେଲ ଶାନ୍ତି ପୁରସ୍କାର ଶୁକ୍ରବାର ଏବଂ ଅକ୍ଟୋବର ୧୦ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ । ଅକ୍ଟୋବର ୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୧୦ ରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ । ତେବେ ସ୍ବିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା । ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି ।