ବାଣୀବିହାର ଓ ଆଚାର୍ଯ୍ୟବିହାର ଛକରେ ଆଉ ରହିବନି ବସ୍

ଏଣିକି ସତସଙ୍ଗ ବିହାର ବସ ବେ’ରେ ରହିବ ବସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବରମୁଣ୍ଡାରୁ ପଳାଶୁଣୀ ରାସ୍ତାରେ ବସ୍ ଗୁଡିକ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ଛକରେ ବସ୍ ଗୁଡ଼ିକ ମନଇଚ୍ଛା ଘଣ୍ଟା ଘଣ୍ଟା ଧରି ଅଟକି ରହିବା ଯୋଗୁଁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେଉଛି। ଏ ନେଇ ବସ୍ ରୁଟ୍ ରେ ପରିବର୍ତ୍ତନ ଆଣିଛି କମିଶନରେଟ୍ ପୁଲିସ।

ଆଉ ଫ୍ଲାଏ ଓଭରରୁ ତଳକୁ ଓହ୍ଲାଇବନି ବରମୁଣ୍ଡାରୁ କଟକ ଯାଉଥିବା ବସ୍। ଏଣିକି ବସ୍ ଗୁଡିକ ବାଣୀବିହାର ଓ ଆଚାର୍ଯ୍ୟବିହାର ଛକରେ ରହିବା ପରିବର୍ତ୍ତେ କ୍ରାଉନ୍ ହୋଟେଲ ଓ ସତ୍ସଙ୍ଗ ବିହାର ଛକରେ ରହିବ। ଯଦି ଏହି ନିୟମ ଖିଲାପ କରି କୌଣସି ବସ୍ ଓଭରବ୍ରିଜ୍ ତଳେ ଯାଇ ବାଣୀବିହାର ଛକ ଓ ଆଚାର୍ଯ୍ୟବିହାର ଛକରେ ରୁହନ୍ତି, ତାହେଲେ ସେହି ବସ୍ ଠାରୁ ୧ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

ସୂଚନା ଅନୁଯାୟୀ, ବରମୁଣ୍ଡ ବସଷ୍ଟାଣ୍ଡ୍ ରୁ ବାହାରି ନାଇଟକୋଚ୍ ବସ ଗୁଡିକ ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଓ ବାଣୀବିହାର ଛକରେ ଘଣ୍ଟାଘଣ୍ଟା ରହି ଯାତ୍ରୀ ଉଠାଉଥିଲେ। ଫଳରେ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତାରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଏହାର ସମାଧାନ ଲାଗି ପୁଲିସ କମିଶନର ବସ୍ ସଙ୍ଘ ସହିତ ଆଲୋଚନା କରିଥିଲେ। ଆଲୋଚନା ପରେ ସତସଙ୍ଗ୍ ବିହାର ନିକଟରେ ଏକ ବସ୍ ବେ’ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।