ସେନାରେ ଗଠନ ହେବନି ବିର୍ସାମୁଣ୍ଡା ରେଜିମେଣ୍ଟ, ସ୍ପଷ୍ଟ କଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସେନାରେ ଗଠନ ହେବନି ବିର୍ସାମୁଣ୍ଡା ରେଜିମେଣ୍ଟ । ଏହାକୁ ନେଇ ଲୋକସଭାରେ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ । ଲୋକସଭାରେ ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ ସାଂସଦ ଅବଦୁଲ ଖଲିକ୍‌ ଓ ଚନ୍ଦ୍ର ପ୍ରକାଶ ଚୌଧୁରୀ । ଏହାର ଜବାବ ରଖିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ।

ଲୋକସଭାରେ ସାଂସଦ ଆସାମର ସାଂସଦ ଚନ୍ଦ୍ର ପ୍ରକାଶ ଚୌଧୁରୀ ଭାରତୀୟ ସେନାରେ ବିର୍ସାମୁଣ୍ଡା ରେଜିମେଣ୍ଟ ଗଠନ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଥିଲେ । ସ୍ବାଧୀନତା ସଂଗ୍ରାମରେ ଝାଡ଼ଖଣ୍ଡବାସୀଙ୍କ ବଳିଦାନକୁ ଦୃଷ୍ଟିରେ ରିଖି ଏହି ରେଜିମେଣ୍ଟ ଗଠନ କରିବାକୁ ସେ ଝାଡ଼ଖଣ୍ଡ ପକ୍ଷରୁ ନିବେଦନ କରିଥିଲେ । ଯଦି ଏହି ରେଜିମେଣ୍ଟ ଗଠନ ହେଉଛି ତେବେ ଏହାକୁ ନେଇ କଣ ପଦକ୍ଷେପ ନିଆଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ ।

ଅନୁରୂପ ଭାବରେ ଆସାମ ସାଂସଦ ଅବଦୁଲ ଖଲିକ୍‌ ଭାରତୀୟ ସେନାରେ ଆସାମ ରେଜିମେଣ୍ଟ ଗଠନ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ । ଜାଟ୍‌ ରେଜିମେଣ୍ଟ, ରାଜପୁତାନା ରେଜିମେଣ୍ଟ ଭଳି ଆସାମ ରେଜିମେଣ୍ଟ ଉପରେ ସରକାର ଉତ୍ତର ରଖନ୍ତୁ ବୋଲି ସେ କହିଥିଲେ ।

ଏହି ଦୁଇ ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ । ସେନାରେ ଆସାମ କିମ୍ବା ବିର୍ସାମୁଣ୍ଡା ରେଜିମେଣ୍ଟ ଗଠନ କରିବା ନେଇ କୌଣସି ପ୍ରସ୍ତାବ ହାତକୁ ନିଆଯାଇନାହିଁ । ସ୍ବାଧୀନତା ପରେ ସରକାର କୌଣସି ନିର୍ଦ୍ଦିଷ୍ଟ ପ୍ରାନ୍ତ, ଗୋଷ୍ଠୀ କିମ୍ବା ଜାତିକୁ ନେଇ ରେଜିମେଣ୍ଟ ତିଆରି ହେବନି ବୋଲି ସରକାର ନୀତି ପ୍ରଣୟନ କରିଥିଲେ । ସେନାରେ ପ୍ରତ୍ୟେକଙ୍କୁ ସମାନ ସମ୍ମାନ ଓ ଅଧିକାର ଦେବା ଉଦ୍ଦେଶ୍ୟରେ ଏହି ନୀତି ପ୍ରଣୟନ ହୋଇଥିଲା । ଏଣୁ କୌଣସି ଜାତି ଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କ ନାମରେ ସେନାରେ ରେଜିମେଣ୍ଟ ଗଠନ ହେବନି । ତେବେ ସ୍ବାଧୀନତା ପୂର୍ବରୁ ୧୯୪୧ରୁ ଆସାମ ରେଜିମେଣ୍ଟ ଭାରତୀୟ ସେନା ସହ ଜଡ଼ିତ ରହିଛି ।