ନୂଆଦିଲ୍ଲୀ,ଏଜେନ୍ସି: ଗୋଟିଏ ସ୍ଥାନରେ ୫୦ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ। ଏନେଇ ରୋକ୍ ଲଗାଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀରେ ବଢୁଥିବା କୋରୋନା ଭୂତାଣୁକୁ ଦୃଷ୍ଟିରେ ରଖି ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି। ସେ ଏନେଇ ସମସ୍ତ ଜିଲ୍ଲାର ଅଧିକାରୀ ମାନଙ୍କୁ ବୈଠକ ପାଇଁ ଡାକିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଦିଲ୍ଲୀର ଗୋଟିଏ ସ୍ଥାନରେ ୫୦ ରୁ ଅଧିକ ଲୋକ ଏକାଠି ହେବାରେ ରୋକ୍ ଲଗାଇଛନ୍ତି। ଧାର୍ମିକ, ରାଜନୀତିକ ବା ସାମାଜିକ ପ୍ରଦର୍ଶନ ସ୍ଥାନମାନଙ୍କରେ ରୋକ୍ ଲଗାଯାଇଛି।
ଯେତେବେଳେ ସିଏମ୍ଙ୍କ ପ୍ରଶ୍ନ କରାଯାଇଥିଲା ଯେ ସାହିନ୍ ବାଗ ପ୍ରଦର୍ଶନକାରୀଙ୍କ କ’ଣ ହେବ? ଉତ୍ତରରେ ସିଏମ କହିଥିଲେ ଯେ, କୌଣସି ବି ପ୍ରଦର୍ଶନ ହେଉ ୫୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏଥିସହିତ ବିବାହରେ ଏହି ନିୟମକୁ କୋହଳ କରିବା ସହ ସେ ନିବେଦନ କରିଛନ୍ତି ଯେ, ଯଦି ହୋଇପାରୁଛି ବିବହାର ତାରିଖ ଘୁଞ୍ଚାଇ ଦିଅନ୍ତୁ। କେଜରିଓ୍ୱାଲ କହିଛନ୍ତି ଦିଲ୍ଲୀର ସମସ୍ତ ନାଇଟ୍ କ୍ଲବ, ଜିମ୍, ସ୍ପା ପ୍ରଭୃତି ୩୧ ମାର୍ଚ୍ଚ ପର୍ୟ୍ୟନ୍ତ ବନ୍ଦ ରହିବ। ବିବାହ ବ୍ୟତିତ ଅନ୍ୟ କୌଣସି କାର୍ୟ୍ୟକ୍ରମରେ ୫୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।