ଏଣିକି ହେବନି ହୋମ୍ ଗାର୍ଡ ନୂଆ ନିଯୁକ୍ତି

୩ ଜଣ ଗୃହରକ୍ଷୀଙ୍କ ସ୍ଥାନରେ ଜଣେ କନଷ୍ଟେବଳଙ୍କୁ ନିଯୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପୁଲିସର ସହାୟକ ୱିଙ୍ଗ୍ ଭାବେ କାର୍ଯ୍ୟ କରୁଥିବା ଗୃହରକ୍ଷୀ (ହୋମଗାର୍ଡ)ଙ୍କ ନୂଆ ନିଯୁକ୍ତି ଆଉ ହେବନାହିଁ। ଏଥିସହିତ ଯେଉଁ ସବୁ ଖାଲି ପଦବୀ ଥିଲା ତାହାକୁ ବି ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗତ ଫେବ୍ରୁଆରୀ ମାସରେ ଅର୍ଥ ବିଭାଗ ହୋମଗାର୍ଡଙ୍କ ନୂଆ ନିଯୁକ୍ତି ଆଉ ହେବ ନାହିଁ ବୋଲି ପରାମର୍ଶ ଦେଇଥିଲା। ସେହି ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗୃହ ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ଫେବୃଆରୀ ୨୨ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଓଡ଼ିଶା ଅଗ୍ନିଶମ ଡିଜିଙ୍କୁ ଚିଠି ଲେଖି ଗୃହରକ୍ଷୀଙ୍କ ନୂଆ ନିଯୁକ୍ତି ଓ ଖାଲି ପଦବୀକୁ ଉଚ୍ଛେଦ କରିବାକୁ ପରାମର୍ଶ ଦେଇଥିଲେ। ଏହା କାର୍ଯ୍ୟକାରୀ ନହେବାରୁ ଜୁଲାଇ ୨୩ ତାରିଖରେ ସରକାର ଆଉ ଏକ ପତ୍ର ମାଧ୍ୟମରେ ବିଭାଗକୁ ଅବଗତ କରିଛନ୍ତି। ଏହି ଚିଠି ପାଇବା ପରେ ଅଗ୍ନିଶମ ବିଭାଗ ନୂଆ ନିଯୁକ୍ତି ବନ୍ଦ ଓ ପଦବୀ ଉଚ୍ଛେଦ ନେଇ ପ୍ରକିୟା ଆରମ୍ଭ କରିଥିବା ଜଣାପଡିଛି। ତେବେ ହୋମଗାର୍ଡ ପଦକୁ ଉଚ୍ଛେଦ କରି ତାଙ୍କ ସ୍ଥାନରେ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ସିଭିଲ ପୋଲିସିଂକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ତିନି ଜଣ ହୋମଗାର୍ଡଙ୍କ ସ୍ଥାନରେ ଜଣେ କନଷ୍ଟେବଲଙ୍କୁ ନିଯୁକ୍ତି ଦିଆଯିବ। ଜଣେ କନଷ୍ଟେବଲ ପୁଲିସର କାର୍ଯ୍ୟ କରିପାରିବ। ଫଳରେ କାମ ଚାପ, ତଦନ୍ତ ଓ ଅଭିଯୁକ୍ତଙ୍କ ଗିରଫଦାରୀରେ ବେଶ ସହଜ ହେବ। ଜଣେ ଗୃହରକ୍ଷୀ କନଷ୍ଟେବଲଙ୍କ ଭଳି କାମ କରିପାରିବ ନାହିଁ।

ଉଲ୍ଲେଖଥାଉ କି, ରାଜ୍ୟରେ ଗୃହରକ୍ଷୀଙ୍କ ମୋଟ ମଞ୍ଜୁରି ପଦବୀ ୧୭,୬୭୫ ଥିବା ବେଳେ ଏବେ ୧୬,୧୦୦ ଜଣ କାର୍ଯ୍ୟରତ ଅଛନ୍ତି। ଏମାନେ ରାଜ୍ୟ ପୁଲିସର ଏକ ଅଙ୍ଗଭାବେ କାର୍ଯ୍ୟ କରୁଛନ୍ତି। ବିଶେଷ କରି ଟ୍ରାଫିକଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ରକ୍ଷା କରିବା ପର୍ଯ୍ୟନ୍ତ ପୁଲିସ କର୍ମଚାରୀଙ୍କୁ ସବୁ ପ୍ରକାର ସାହାଯ୍ୟ କରୁଛନ୍ତି। ତେବେ ଗତ କିଛି ମାସ ମଧ୍ୟରେ ୪୪୨ ଜଣ ଗୃହରକ୍ଷୀଙ୍କୁ ଡିସଚାର୍ଜ କରିଦିଆଯାଇଛି। ଡିସଚାର୍ଜ ଅର୍ଥ ସରକାରୀ କର୍ମଚାରୀଙ୍କ ଅବସର ଗ୍ରହଣ କରିବା ଭଳି ସେମାନଙ୍କୁ ଛଟେଇ କରାଯାଇଛି। ଯେହେତୁ ଗୃହରକ୍ଷୀମାନେ ସରକାରୀ ଚାକିରିଆ ନୁହନ୍ତି, ସରକାର ଚାହିଁଲେ ଯେ କୌଣସି ସମୟରେ ସେମାନଙ୍କୁ ବିଦା କରି ଦେଇପାରିବେ।