ଥମିବାର ନା ଧରୁନି ଜନନୀ ଯନ୍ତ୍ରଣା

ରାୟଗଡା,ଏନ୍ଏନ୍ଏସ୍ : ସପ୍ତାହ ନ ବିତୁଣୁ ପୁଣି ଥରେ ଦେଖା ଦେଇଛି ରାୟଗଡା ଜିଲ୍ଲାରେ ଜନନୀ ଯନ୍ତ୍ରଣା। ରାସ୍ତା ଘାଟର ଅଭାବ ହେଉ କିମ୍ବା ସଠିକ ସମୟରେ ଗର୍ଭବତୀମାନେ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ର କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ପାରୁନଥିବାରୁ ଏଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ଗାଁ କୁ ଆମ୍ବୁଲାନ୍ସ ନପହଂଚି ପାରିବାରୁ ଖଟିଆରେ ୮ କିଲୋମିଟର ପାହାଡିଆ ରାସ୍ତାରେ ବୁହା ହୋଇ ଆସିଛନ୍ତି ଜଣେ ପ୍ରସବ ମହିଳା ।

ଏ ସବୁ ଭିତରେ ଗର୍ଭବତୀକୁ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସଟି ମଧ୍ୟ ଅପେକ୍ଷା ନ କରି ଚାଲିଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି, ରାୟଗଡା ଜିଲ୍ଲା କୋଲନରା ବ୍ଲକ ଦୁମୁକୁପାଡୁ ଗାଁ’ରେ। ଗାଁ’କୁ ରାସ୍ତା ନାହିଁ ତେବେ ଗାଁର ସାବିତ୍ରୀ ତାଡିଙ୍ଗି (୩୧) ବୁଧବାର ଭୋରରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଅନ୍ୟ ଉପାୟ ନ ପାଇଁ ସାହିଭାଇ ଓ ପରିବାର ଲୋକେ ଖଟିଆରେ ଦୋଳା ପ୍ରସ୍ତୁତ କରି ଗାଁର ଯୁବକ ମାନେ ପାଳିକରି ୮ କିଲୋମିଟର ରାସ୍ତା ଦେଇ ସାବିତ୍ରୀକୁ ବୋହି ଲଲବି ଛକକୁ ଆଣିଥିଲେ ।

ଗର୍ଭବତୀଙ୍କୁ ନେବା ପାଇଁ ୧୦୨ ଆମ୍ବୁଲାନ୍ସ କୁ ସୂଚନା ଦିଆଯାଇଥିଲା କିନ୍ତୁ ସାବିତ୍ରୀକୁ କାନ୍ଧରେ ବୋହି ଆଣିବା ବିଳମ୍ବ ହେବାରୁ ଅପେକ୍ଷା ନ କରି ୧୦୨ ଆମ୍ବୁଲାନ୍ସ ଫେରିଆସିଥିବା ବେଳେ ଭଡା ଗାଡିରେ ସାବିତ୍ରୀକୁ କୋଲନରା ଅଣାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଏନେଇ କୈଣସି ପ୍ରଶାସନିକ ଅଧିକାରିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।