କୋର୍ଟକୁ ବେଖାତିର, ଅଯୋଗ୍ୟ ଘୋଷିତ ପରେବି ବ୍ଲକ୍ ଅଧ୍ୟକ୍ଷା ଯୋଗ୍ୟ !

ଚିଠି ଆସିବାରେ ବିଳମ୍ବ ଯୋଗୁଁ ବିଡିଓଙ୍କ ଠାରେ ଫେରାଦ

ଦାରିଙ୍ଗବାଡି,ଏନ୍ଏସ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଧକ୍ଷା ସୁବେନ୍ତି ପ୍ରଧାନଙ୍କ ଦୁଇରୁ ଅଧିକ ସନ୍ତାନ ଥିବା ନେଇ ଚଳିତ ମାସ ଅକ୍ଟୋବର ୧ ତାରିଖରେ ଜିଲ୍ଲା ଦୌରାଜଜ୍ ଗୌତମ ଶର୍ମା ଅଧ୍ୟକ୍ଷାଙ୍କ ପଦବୀକୁ ରଦ୍ଦ କରିବା ସହ ଏହାକୁ ଅବୈଦ୍ଧ ଘୋଷଣା କରିଥିଲେ। ତେବେ ପଦବୀ ରଦ୍ଦ ହେବାର ୧୪ ଦିନ ବିତିଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ବ୍ଲକ ପ୍ରଶାସନକୁ ଦାରିଙ୍ଗବାଡି ବ୍ଲକ ଅଧକ୍ଷାଙ୍କ ପଦବୀ ରଦ୍ଦ ହୋଇଥିବା ନେଇ କୌଣସି ଚିଠି କରିନଥିବା ଯୋଗୁଁ ଆଜି ବ୍ଲକ ଉପାଧକ୍ଷା ରମାକାନ୍ତ ବଳିଆର ସିଂ ଙ୍କ ସମେତ ଅନ୍ୟ ସମିତିସଭ୍ୟମାନେ ଏହାର ପ୍ରତିବାଦ କରିବା ସହିତ ଦାରିଙ୍ଗବାଡି ଗୋଷ୍ଠୀଉନ୍ନୟନ ଅଧିକରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳାଇଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରରେ ଓଡିଶା ପଞ୍ଚାୟତ ରାଜ ଆକ୍ଟ ୧୯୫୯, ସେକ୍ସନ ୨୦-ଏ(୩) ଅନୁଯାୟୀ କୌଣସି ସ୍ଥାନରେ ଅଧ୍ୟକ୍ଷ କିମ୍ବା ଅଧକ୍ଷାଙ୍କ ପଦ ରଦ୍ଦ ହେଲେ ବ୍ଲକର ଉପାଧକ୍ଷ ଏହାର ସମସ୍ତ କାର୍ଯ୍ୟ ପରିଚାଳନା କରିବା ନେଇ ନିୟମ ରହିଛି। ତେବେ ଦାରିଙ୍ଗବାଡି ବ୍ଲକ ଅଧକ୍ଷାଙ୍କ ପଦବୀ ରଦ୍ଦ ହେବାର ୧୪ ଦିନ ବବିତିଯାଇଥିବା ସୁଦ୍ଧା କଣ ପାଇଁ ଆଜି ପର୍ଯ୍ୟନ୍ତ ଅଧକ୍ଷାଙ୍କ ପଦବୀ ରଦ୍ଦ କରାଯାଇଥିବା ନେଇ ନିର୍ଦ୍ଦେଶ ପ୍ରଦାନ କରାଯାଉନାହିଁ ତାହାକୁ ନେଇ ସମିତିସଭ୍ୟ କରମ ସିଂ ଏବଂ ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନରେ ଲଢ଼ି ପରାଜିତ ହୋଇଥିବା ତାଜୁଙ୍ଗିଆ ପଂଚାୟତର ସମିତି ସଭ୍ୟ ରୁଦା ମଲ୍ଲିକ ଅଭିଯୋଗ କରିଛନ୍ତି।

ଏଥିସହିତ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କ ସ୍ୱାମୀ ସାଲୁଗା ପ୍ରଧାନ ଶାସକ ଦଳର ବିଧାୟକ ହୋଇଥିବା ଯୋଗୁଁ ସେ ଜିଲ୍ଲା ପ୍ରଶାସନ ଉପରେ ଚାପ ପ୍ରୟୋଗ କରି ବ୍ଲକ କୁ ଚିଠି କରିବାକୁ ବିଳମ୍ବ କରୁଛନ୍ତି ବୋଲି ବ୍ଲକ ଉପାଧକ୍ଷ ରମାକାନ୍ତ ବଳିଆରସିଂ ଅଭିଯୋଗ କରିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ କୋର୍ଟ ରାୟକୁ ସମ୍ମତି ଖୁବଶୀଘ୍ର ବ୍ଲକକୁ ଚିଠି କରିବା ପାଇଁ ସମିତିସଭ୍ୟ ମାନେ ଦାବି କରିବା ସହ ଯଦି ଏହାର ବିଳମ୍ବ ହୁଏ ତାହାହେଲେ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି ମଧ୍ୟ ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।