ଦେଶରେ ନ୍ୟାୟ ବୋଲି କିଛି ନାହିଁ କହିଲେ ଚିନ୍ମୟାନନ୍ଦଙ୍କ ଅଭିଯୋଗକାରିଣୀ

ଶାହଜାହାନପୁର: ‘ମୁଁ ଯାହା ଆଶଙ୍କା କରୁଥିଲି, ସେୟା ହେଲା। ପୁଲିସ ମାମଲାକୁ ଦୁର୍ବଳ କରିଦେଲେ। ଦେଶରେ ନ୍ୟାୟ ବୋଲି କିଛି ନାହିଁ।’ ଏଭଳି ବିବୃତି ପ୍ରଦାନ କରିଛନ୍ତି ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଆଇନଛାତ୍ରୀ ଜଣକ। ଶନିବାର ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସମ୍ପୃକ୍ତ ଆଇନଛାତ୍ରୀ କହିଛନ୍ତି ଯେ ୭୨ ବର୍ଷୀୟ ରାଜନେତାଙ୍କ ବିରୋଧରେ ପୁଲିସ ମାମୁଲି ଦଫା ଲଗାଇଛି। ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ ବୋଲି ପୁଲିସ କହୁଛି।

ପୁଲିସ ଯେଉଁ ଦଫା ଲଗାଇଛି, ତାହା ପ୍ରମାଣିତ ହେଲେ ଦୋଷୀଙ୍କୁ ୫ରୁ ୧୦ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମାନା ବ୍ୟବସ୍ଥା ଅଛି। ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଦାବି କରିବା ସହ ଧାରା ୩୭୬ ଲଗାଇବା ପାଇଁ କହିଲେ ମଧ୍ୟ ଏସଆଇଟି କିଛି ଶୁଣିଲାନି ବୋଲି ଅଭିଯୋଗ କରାଯାଇଛି। ଚିନ୍ମୟାନନ୍ଦଙ୍କ ଟିମ କରିଥିବା ଦାଦାବଟି ଆଦାୟ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଇନଛାତ୍ରୀଙ୍କ ପରିଚିତ ତିନିଜଣ ଲୋକଙ୍କୁ ଗିରଫ କରିଛି। ଆଇନଛାତ୍ରୀ କହିଛନ୍ତି, ଦାଦାବଟି ଆଦାୟ ଅଭିଯୋଗ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ପୁଲିସ ଚିନ୍ମୟାନନ୍ଦଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଚିନ୍ମୟାନନ୍ଦଙ୍କ ଭିତିରି ସମ୍ପର୍କ ଅଛି ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।