ନୂଆଦିଲ୍ଲୀ: ସ୍ୱିଜ୍ ବ୍ୟାଙ୍କରେ ଜମା ରଖିଥିବା ଭାରତୀୟ ଜମାକାରୀଙ୍କ ତଥ୍ୟ ଦେବାକୁ କେନ୍ଦ୍ର ସରକାର ମନା କରିଦେଇଛନ୍ତି। ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଟିକସ ବ୍ୟବସ୍ଥାକୁ ହୋଇଥିବା ରାଜିନାମା ଅନୁସାରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ଗଚ୍ଛିତ କଳାଧନ ସମ୍ପର୍କରେ ଅନ୍ୟ ରାଷ୍ଟ୍ରମାନଙ୍କ ଠାର ମିଳୁଥିବା ସୂଚନା ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଘଟ କରାଯାଇପାରିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ସ୍ୱିଜ୍ ବ୍ୟାଙ୍କରେ ଭାରତୀୟମାନଙ୍କ ଦ୍ୱାରା ଜମା ରଖାଯାଇଥିବା ଅର୍ଥ ସମ୍ପର୍କରେ ତଥ୍ୟ ଦେବାକୁ ପିଟିଆଇର ଜଣେ ସାମ୍ବାଦିକ ସୂଚନା ଅଧିକାର ଆଇନ ଅନୁସାରେ ଆବେଦନ କରିଥିଲେ। ହେଲେ ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ‘କନଫିଡେନ୍ସିଆଲି ପ୍ରୋଭିଜନ୍’ ବ୍ୟବସ୍ଥା ଅନୁସାରେ ଏସମ୍ପର୍କରେ ତଥ୍ୟ ଦିଆଯାଇପାରିବନି ବୋଲି ଅର୍ଥମନ୍ତ୍ରଣାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।