ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ ବର୍ଷର ବଜେଟ ଲୋକସଭାରେ ଉପସ୍ଥାପନ କରିଛନ୍ତି । ଏଥିରେ ଆୟକରକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବାର୍ଷିକ ୭ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଆଉ ଆୟକର ଦେବାକୁ ପଡ଼ିବନି ବୋଲି ଶ୍ରୀମତୀ ସୀତାରମଣ ଘୋଷଣା କରିଛନ୍ତି । ନୂଆ ଆୟକର ବ୍ୟବସ୍ଥା ଅନ୍ତର୍ଗତ ଏହି ନିଷ୍ପତ୍ତି ନିଆଯାଇଛି ଯାହାକି ପୂର୍ବରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା । ବିଶେଷ କଥାଟି ହେଲା, ଯାହାଙ୍କ ଆୟ ୭ ଲକ୍ଷ ଟଙ୍କା, ତାଙ୍କୁ କର ଦେବାକୁ ପଡ଼ିବନି । କିନ୍ତୁ ଯାହାଙ୍କର ଆୟ ୭ ଲକ୍ଷରୁ ୧ ଟଙ୍କା ବି ଅଧିକ ହେବ, ତାଙ୍କୁ କର ଦେବାକୁ ପଡ଼ିବ ତାହା ମଧ୍ୟ କେବଳ ୧ ଟଙ୍କାର ନୁହେଁ ବରଂ ୩ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ଦେବାକୁ ହେବ । ଫଳରେ ଯାହାଙ୍କ ରୋଜଗାର ୭ ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ କର ଦେବାକୁ ପଡ଼ିବ ନାହିଁ ।
ସୂଚନାଯୋଗ୍ୟ ଯେ, ନୂଆ ଆୟକର ବ୍ୟବସ୍ଥା ଅନୁଯାୟୀ ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଶୂନ ରହିବ । ୩ରୁ ୬ ଲକ୍ଷ ଟଙ୍କା ଆୟ ପାଇଁ ଆୟକର ୫ ପ୍ରତିଶତ, ୬ରୁ ୯ ଲକ୍ଷ ପାଇଁ ୧୦ ପ୍ରତିଶତ, ୯ରୁ ୧୨ ଲକ୍ଷ ପାଇଁ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ପାଇଁ ୨୦ ପ୍ରତିଶତ ଓ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ପାଇଁ ୩୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ ।