ବିଞ୍ଝାରପୁର,ଏନ୍ଏନ୍ଏସ୍: ପୁଅ କୁଆଡେ ପୁତ୍ ନାମକ ନର୍କରୁ ଉଦ୍ଧାର କରିଥାଏ। ବୁଢା ବୟସରେ ଅସହାୟ ପିତାମାତାଙ୍କର ପୁଅ ସାହାରା ସାଜିଥାଏ। ମାତ୍ର ଏବେ ଏହି ପରିଭାଷା ବଦଳି ଯିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ନିଜ ଜନ୍ମକଲା ପୁଅ ମାଆକୁ ବୋଝ ଭାବି କଲିକତାରୁ ଗାଁକୁ ଭୁଲେଇ ଭାଲେଇ ଆଣି ରହିବା ଓ ଖାଇବା ପିଇବାର ବ୍ୟବସ୍ଥା ନକରି ଲୁଚି ପଳାଇବା ଘଟଣା ସାଧାରଣ ଲୋକଙ୍କୁ ବିସ୍ମିତ କରିଛି।
ଏହି ଘଟଣା ଘଟିଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ମାଁସଡା ପଞ୍ଚାୟତର ଗୌଡସାହି ଗ୍ରାମରେ। ଗୌଡସାହି ଗ୍ରାମର ସ୍ୱର୍ଗତ ବୃନ୍ଦାବନ ପାଣିଙ୍କର ଦୁଇପୁଅ ଓ ତିନିଝିଅଙ୍କ ମଧ୍ୟରୁ ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କର ମୃତ୍ୟୁ ହୋଇଯାଇଛି। ପୁର୍ବରୁ ଅନ୍ୟ ଝିଅମାନେ ବାହା ହୋଇ ଯାଇଛନ୍ତି। ପାଗଳ ସାନପୁଅ ପୁଅଟି ବଞ୍ଚିଥିବା ବେଳେ ତାକୁ ନେଇ ଗାଁରେ ବିଧବା ଉଷାରାଣୀ (୮୦) ରହୁଥିଲେ। ସାନପୁଅଟି ମରିଯିବା ପରେ କଲିକତାରେ ରହୁଥିବା ବଡପୁଅ ତାଙ୍କର ଏକମାତ୍ର ଆଶା ଭରଷା ହୋଇଥିଲା। ଗାଁରେ ଅସହାୟ ହୋଇ ପଡିଥିବା ମାଆ ଉଷାରାଣୀଙ୍କୁ ବଡପୁଅ କଲିକତାକୁ ନେଇ ଯାଇଥିଲା। ଗାଁର ଘର ଭାଙ୍ଗି ଦେବା ସହିତ ଜମି ବିକ୍ରି କରିବା ପାଇଁ ସମ୍ପର୍କୀୟଙ୍କଠାରୁ ମୋଟା ଅଙ୍କରେ ଟଙ୍କା ଆଗୁଆ ନେଇ ଯାଇଥିଲା।
ମାଆ ଉଷାରାଣୀ ସୁସ୍ଥ ଥିବା ପର୍ଯ୍ୟନ୍ତ ପୁଅର ଘରେ ରହି ଭଲମନ୍ଦ କାମ କରୁଥିଲେ। ବୟସ ବଢିବା ସଙ୍ଗେସଙ୍ଗେ କିଛି କାମ କରିବାକୁ ଉଷାରାଣୀ ସମର୍ଥ ନହେବାରୁ ପୁଅବୋହୂ ତାଙ୍କ ଉପରେ ଗରଗର ହେବାକୁ ଲାଗିଥିଲେ। ସେମାନଙ୍କ ଅତିଷ୍ଠ ବ୍ୟବହାରକୁ ସହି ଉଷାରାଣୀ ସେମାନଙ୍କ ପାଖରେ ପଡିରହିଥିଲେ। ମାତ୍ର କିଛିଦିନ ପୂର୍ବରୁ ବଡଝିଅର ଝିଅ ବାହାଘର ହେବାର ଥିବାରୁ ଏହି ବାହାଘରକୁ ଆଳକରି ବଡପୁଅ ମାଆକୁ ସାଙ୍ଗରେ ଭଉଣୀ ଘରକୁ ଆଣିଥିଲା। ବାହାଘର ସରିଗଲା ପରେ ସେମାନେ ଗାଁ ଘରକୁ ଆସିଥିଲେ। ମାଆକୁ ଗାଁରେ ଛାଡିଦେଇ ଛକରୁ ଆସୁଛି କହି ପଳାଇ ଯାଇଥିଲା। ପୁଅର ଫେରିବା ବାଟକୁ ମାଆ ଚାହିଁ ରହିଥିବା ବେଳେ ପୁଅ ମାଆ ପାଖକୁ ନଫେରି କଲିକତା ପଳାଇ ଯାଇଥିଲା।
ଗାଁରେ ମାଆକୁ ଛାଡି ଯାଇଥିବା ବେଳେ ନା ଗାଁରେ ଅଛି ଘର ନା ଅଛି କିଛି ଖାଇବା। ଅଗତ୍ୟା ଉଷାରାଣୀଙ୍କୁ ତାଙ୍କର ଦିଅର ନିଜ ଘରକୁ ନେଇ ଖାଇବାକୁ ଦେଇଥିଲେ। ପୁଅ କଲିକତା ପଳାଉଛି ବୋଲି ମାଆକୁ କହି ନଥିବା ବେଳେ ସାହି ପଡିଶା ଲୋକଙ୍କୁ ମଧ୍ୟ ମାଆର ଦେଖାଶୁଣା କରିବାକୁ କହିନଥିଲା। ୮୦ବର୍ଷ ବୟସର ଏହି ବୃଦ୍ଧା ଶୀତ କାକରରେ ଅତି ଦୟନୀୟ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି। ଅନ୍ତଫାଡି ଜନ୍ମ କରିଥିବା ପୁଅ ନିଜ ମାଆକୁ ଏପରି ଭାବେ ଛାଡି ଚାଲିଯିବା ଘଟଣା ଗୌଡସାହି ଗ୍ରାମରେ ଘରେଘରେ ଚର୍ଚ୍ଚାର ବିଷୟ ହୋଇଛି। କଲିକତିଆ ପୁଅର ଏହି କାରସାଦୀ ମଣିଷ ପଣିଆକୁ ଉପହାସ କରିଛି।