ଭୋକିଲା ପେଟକୁ ଦାନା ନାହିିଁ, ରାସ୍ତାକଡ଼ରେ ପଡ଼ି ଥିବା ପଚା ଫଳ ଖାଇ ଭୋକ ମେଣ୍ଟାଉଛନ୍ତି ଯୁବକ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ମହାମାରି ସମୟରେ ସାରା ଦେଶ ଲକଡାଉନ ରହିଛି। ଆଉ ଏହି ଲକଡାଉନ ଯୋଗୁଁ ସମସ୍ତ ଦୋକାନବଜାର ବନ୍ଦ ରହିଛି। ଏହି ପରିସ୍ଥିତିରେ ଖଟିଖିଆଙ୍କ ଦାନା ପାଣି ଉପରେ ଚଢ଼କ ପଡ଼ିଛି। ଏହି ପସ୍ଥିତିରେ ସରକାର ଜିଲ୍ଲା ପ୍ରଶାସନ ଜରିଆରେ ରନ୍ଧା ଖାଦ୍ୟ ଯୋଗାଉ ଥିବାବେଳେ ଅନେକ ଏଥିରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ମୁଖ୍ୟଳୟ ନିକଟ ମୁଖ୍ୟ ବଜାରରେ।

 

ଏକ ମାନସିକ ଭିନ୍ନକ୍ଷମ ଖାଦ୍ୟ ଅଭାବରୁ ରାସ୍ତାକଡ଼ରେ ଫୋପଡ଼ା ଯାଇଥିବା ପଚା ଫଳ ଗୋଟାଇ ଖାଉଥିବା ଦେଖାଯାଇଛି। ଆଜି ଦିନ ପ୍ରାୟ ୧୨ଟା ସମୟରେ ଜଣେ ୩୦/୩୨ ବର୍ଷୀୟ ମାନସିକ ଭିନ୍ନକ୍ଷମ ଯୁବକ ଦେବଗଡ଼ ମୁଖ୍ୟ ବଜାର ଛକ ଠାରେ ଭୋକ ଜ୍ୱାଳାରୁ ମୁକ୍ତି ପାଇଁ କେତେକ ଫଳ ଦୋକାନିଙ୍କ ଦ୍ୱାରା ଫିଙ୍ଗା ଯାଇଥିବା ପଚା ଫଳ ଗୋଟାଇ ଖାଉଥିବା ଦେଖିବାକୁ ମିଳିଥିଲା। ଯୁବକଟି ବସି ଖାଉଥିବା ସ୍ଥାନ ସମ୍ମୁଖରେ ଦୁଇଟି ଔଷଧ ଦୋକାନ ଖୋଲା ରହିଥିଲେ ମଧ୍ୟ ଦୋକାନୀଙ୍କ ଠାରେ ମାନବିକତା ଶୂନ୍ୟ ଥିବା ଦେଖିବାକୁ ମିଳିଥିଲା।

 

କେତେକ ଗଣମାଧ୍ୟମ ପ୍ରତିନିଧି ଏହା ଦେଖି ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଦୃଷ୍ଟି ଆକର୍ଶଣ କରିବା ପରେ ଶ୍ରୀ ପ୍ରଧାନ ଘଟଣା ସ୍ଥଳକୁ ଯିବେ ବୋଲି କହିଥିଲେ। ତେବେ ଗରିବ, ଭିନ୍ନକ୍ଷମ, ଦିନ ମଜୁରିଆ ଓ ରୋଗୀଣାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରନ୍ଧା ଖାଦ୍ୟ ବ୍ୟବସ୍ତା କରାଯାଉଥିଲେ ମଧ୍ୟ ପ୍ରକୃତ ଭୋକିଲାଙ୍କ ପେଟକୁ ଦାନା ପହଞ୍ଚୁ ନାହିିଁ। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।