ବିଏସ୍‌ଏନ୍‌ଏଲ୍ ୪ଜି ସେବାରେ ବିଦେଶୀ କମ୍ପାନୀକୁ ନାଁ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାର ବିଏସ୍‌ଏନ୍‌ଏଲ୍‌ର ୪ଜି ସେବାରେ ବିଦେଶୀ କମ୍ପାନୀମାନଙ୍କୁ ସେବା ଯୋଗାଇବା ପାଇଁ ବାରଣ କରିଛି। କେବଳ ଭାରତୀୟ କମ୍ପାନୀମାନେ ବିଏସ୍‌ଏନ୍‌ଏଲ୍‌ର ୪ଜି ସେବାରେ ନିଜର ସେବା ପ୍ରଦାନ କରିପାରିବେ। ଏହା ଫଳରେ ଭାରତୀୟ କମ୍ପାନୀମାନଙ୍କୁ ଫାଇଦା ହେବା ସହିତ ବିଦେଶୀ କମ୍ପାନୀମାନଙ୍କ ଉପରେ ନିର୍ଭରଶୀଳ କମ୍ ହେବ ବୋଲି ସରକାର କହିଛନ୍ତି। ଏହା ଫଳରେ ବିଏସ୍‌ଏନ୍‌ଏଲ୍‌ର ୪ଜି ସେବା ଦେଶରେ ସବୁଠାରୁ ସୁରକ୍ଷିତ ସେବା ହେବ ବୋଲି କୁହାଯାଇଛି।

ଏହି ନିର୍ଣ୍ଣୟ ଫଳରେ ବିଏସ୍‌ଏନ୍‌ଏଲ୍ ଦେଶର ପ୍ରଥମ କମ୍ପାନୀ ହେବ ଯାହାର କୋର୍ ସିଷ୍ଟମ୍‌ରେ କେବଳ ଭାରତୀୟ କମ୍ପାନୀମାନେ ହିଁ କାମ କରିବେ। ଯେଉଁ ବିଦେଶୀ କମ୍ପାନୀମାନଙ୍କର ମାଲିକାନା ଭାରତୀୟଙ୍କ ପାଖରେ ଥିବ, ସେହି କମ୍ପାନୀମାନେ ବିଏସ୍‌ଏନ୍‌ଏଲ୍‌କୁ ସେବା ଯୋଗାଇ ପାରିବେ। ଉଲ୍ଲେଖନୀୟ ଯେ ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରିଜ‌ରେ ବିଦେଶୀ କମ୍ପାନୀମାନଙ୍କର ପ୍ରାଧାନ୍ୟ ରହିଆସିଛି। ଏରିକ୍ସନ୍‌, ନୋକିଆ, ସାମ୍‌ସଙ୍ଗ୍ ତଥା ହୁଆଇ ପରି ବିଦେଶୀ କମ୍ପାନୀ ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ସେବା ଯୋଗାଇ ଆସୁଛନ୍ତି।

ଖୁବ୍‌ଶୀଘ୍ର ଟାଟା ତଥା ରିଲାଏନ୍ସ ଏହି କ୍ଷେତ୍ରରେ ନିଜର ସେବା ଯୋଗଦାନ କରିବାକୁ ଯାଉଛନ୍ତି। ସରକାରଙ୍କର ଏହି ନିର୍ଣ୍ଣୟ ପରେ ବିଏସ୍‌ଏନ୍‌ଏଲ୍ ଭାରତୀୟ କମ୍ପାନୀମାନଙ୍କୁ ୪ଜି ଓୟାର୍‌ଲେସ୍ ସେବା ତଥା ଉପକରଣ ଯୋଗାଇବା ନିମନ୍ତେ ଆବେଦନ କରିଛି। ଏହା ଫଳରେ ଭାରତୀୟ କମ୍ପାନୀମାନଙ୍କୁ ନୂଆ ଅବସର ମିଳିବ ବୋଲି ଚ୍ୟାମ୍ବର ଅଫ୍ କମର୍ସର ମୁଖ୍ୟ ସନ୍ଦିପ ଅଗ୍ରୱାଲ୍ କହିଛନ୍ତି।