ଆସାମ-ମିଜୋରାମ ବିବାଦ, ସୀମାନ୍ତ ଅଞ୍ଚଳ ହେଲା ନୋ ଫ୍ଲାଇଂ ଜୋନ

  • ଆଇଜଲ: ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିବାଦକୁ ଦୃଷ୍ଟିରେ ରଖି ଆସାମ ସରକାର ନିଜ ରାଜ୍ୟର ଲୋକଙ୍କୁ ମିଜୋରାମ ଯିବାକୁ ବାରଣ କରିଛନ୍ତି। ସେହିପରି ମିଜୋରାମ ସରକାର ମଧ୍ୟ ଆଜି ବଡ଼ ପଦକ୍ଷେପ ନେଇଛନ୍ତି।
    ଆସାମ ସୀମାନ୍ତଙ୍କୁ ଲାଗିଥିବା କୋଲାସିବା ଜିଲ୍ଲା ପ୍ରଶାସନ ଏକାଧିକ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ୍ଭାବେ ଘୋଷଣା କରିଛି। ନୋ ଫ୍ଲାଇଙ୍ଗ ଜୋନ ଅଞ୍ଚଳରେ କୌଣସି ପ୍ରକାରର ଡ୍ରୋନ୍ ଉଡ଼ିପାରିବନି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଭାରତୀୟ ସେନା ମଧ୍ୟ ସୀମାନ୍ତରେ ଡ୍ରୋନ ଉଡ଼ାଇବା ପୂର୍ବରୁ ପ୍ରଥମେ ସ୍ଥାନୀୟ ପ୍ରଶାସନର ଅନୁମତି ନେବ। ଜିଲ୍ଲା ମାଜିଷ୍ଟ୍ରେଟ ଅନୁମତି ଦେବା ପରେ ଯାଇ ସୀମାନ୍ତ ଅଞ୍ଚଳରେ ଡ୍ରୋନ ଉଡ଼ିପାରିବ। ଅନ୍ୟପକ୍ଷରେ ବିବାଦକୁ ଦୃଷ୍ଟିରେ ରଖି ଆସାମ-ମିଜୋରାମ ସୀମାରେ ୬ କମ୍ପାନୀ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ଦୁଇ ରାଜ୍ୟ ମଧ୍ୟରେ ଥିବା ଜାତୀୟ ରାଜପଥ ୩୦୬ରେ ମଧ୍ୟ ଯବାନମାନେ ନିୟମିତ ପ୍ୟାଟ୍ରୋଲିଂ କରୁଛନ୍ତି। ବୁଧବାର କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ବିବାଦକୁ ସମାଧାନ କରିବା ପାଇଁ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଦୁଇ ରାଜ୍ୟର ଡିଜିପି ଓ ମୁଖ୍ୟ ଶାସନ ସଚିବ କେନ୍ଦ୍ରୀୟ ବାହିନୀର ଯବାନଙ୍କୁ ସୀମାରେ ମୁତୟନ କରି ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମରେ ସହାୟତା କରିବେ ବୋଲି ରାଜି ହୋଇଥିଲେ।