ଦୋଷୀଙ୍କର ବ୍ୟବହାର ବଦଳିଲେ ବି ମୃତ୍ୟୁଦଣ୍ଡ ପରିବର୍ତ୍ତନ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଜେଲରେ ଜଘନ୍ୟଅପରାଧୀଙ୍କର ବ୍ୟବହାରରେ ପରିବର୍ତ୍ତନ ଘଟିଲେ ମଧ୍ୟ ତା’ର ମୃତ୍ୟୁ ଦଣ୍ଡରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ସ୍ପଷ୍ଟ କରିଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଜଣେ ଦୋଷୀ ଜେଲ୍‌ରେ କିପରି ବ୍ୟବହାର ପ୍ରଦର୍ଶନ କରିଥିଲା ତାକୁ ଆଧାର କରି ଦଣ୍ଡାଦେଶର ସମୀକ୍ଷା କରାଯିବା ଏକ ଗୁରୁତ୍ବପୂର୍ଣ୍ଣ ଦିଗ। ମାତ୍ର ଏପରି ସମୀକ୍ଷା ଦ୍ବାରା ଆବେଦନ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଇବ। ପ୍ରଧାନବିଚାରପତି ଏସଏ ବୋବଡେ, ବିଚାରପତି ଏସଏ ନଜିର ଓ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ମୃତ୍ୟୁଦଣ୍ଡାଦେଶ ବିରୋଧରେ ବାରମ୍ବାର ଆବେଦନ କରିବାକୁ ସୁଯୋଗ ଦିଆଯିବା ଉଚିତ ନୁହେଁ।

ପ୍ରେମ ପାଇଁ ପ୍ରେମିକ ସହିତ ମିଶି ପ୍ରେମିକା ତାର ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା ଘଟଣାରେ ମୃତ୍ୟୁ ଦଣ୍ଡାଦେଶ ପାଇଛନ୍ତି। ଏପରି ହତ୍ୟା ପାଇଁ ପ୍ରେମିକ ସଲିମ୍ ଓ ପ୍ରେମିକା ସବନମ୍‌ଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ମୃତ୍ୟୁଦଣ୍ଡାଦେଶ ଉପରେ ସମୀକ୍ଷା ପାଇଁ ସଲିମ୍ ଓ ସବନମ୍ କରିଥିବା ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଗୁରୁବାର ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ମୃତ୍ୟୁଦଣ୍ଡ କାର୍ୟ୍ୟକାରିତାରେ ବିଳମ୍ବ ହେଉଥିବାବେଳେ ସୁପ୍ରିମକୋର୍ଟଙ୍କ ଏପରି ମତ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି।

ପୂର୍ବରୁ କେନ୍ଦ୍ର ସରକାର ମୃତ୍ୟୁଦଣ୍ଡ କାର୍ୟ୍ୟକାରୀ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟ ସୀମାଧାର୍ୟ୍ୟ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ୨୦୦୮ ଏପ୍ରିଲ ୧୫ରେ ସଲିମ୍ ସହଯୋଗରେ ସବନମ୍ ତାର ପରିବାରର ୭୭ ସଦସ୍ୟଙ୍କୁ କ୍ଷୀରରେ ବିଷ ଦେଇ ହତ୍ୟା କରିଥିଲା। ଏପରିକି ନିଜର ୧୦ମାସର ପୁତୁରାକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନ ଥିଲା। ସଲିମ ସହିତ ସବନମ୍‌ର ପ୍ରେମ ସମ୍ପର୍କକୁ ପରିବାର ଲୋକ ବିରୋଧ କରୁଥିବା କାରଣରୁ ଏପରି ହତ୍ୟା କରିଥିଲା। ଏହି ଘଟଣାରେ ଆହ୍ଲାବାଦ ହାଇକୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ୨୦୧୫ରେ ସୁପ୍ରିମକୋର୍ଟ ଉକ୍ତ ମୃତ୍ୟୁଦଣ୍ଡାଦେଶକୁ କାଏମ ରଖିଥିଲେ। ଏବେ ଦଣ୍ଡାଦେଶକୁ ସମୀକ୍ଷା ପାଇଁ ଉଭୟ ଆବେଦନ କରିଛନ୍ତି।