ଆସନ୍ତା ଡିସେମ୍ବର ୧ରୁ ଫାସଟ୍ୟାଗରେ ଟୋଲ ଆଦାୟ ହେବ, ବିନା ଫାସଟ୍ୟାଗରେ ଟେଲରେ ଏଣ୍ଟ୍ରି ମିଳିବନି

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ଡିସେମ୍ବର ୧ ତାରିଖରୁ ଦେଶବ୍ୟାପୀ ଟୋଲଗେଟ୍‌ଗୁଡ଼ିକୁ କ୍ୟାଶ୍‌ଲେସ କରିବା ପାଇଁ କେନ୍‍ଦ୍ର ସରକାରଙ୍‍କ ପକ୍ଷରୁ ସୂଚନା ଜାରି କରାଯାଇଛି। ତେବେ ଟୋଲ ଗେଟରେ ଅର୍ଥ ଆଦାୟ ପାଇଁ ଗାଡ଼ି ଚାଳକମାନଙ୍କଠାରୁ ଅନ୍‌ଲାଇନରେ ଟୋଲ୍‌ ଆଦାୟ କରାଯିବ। ଏଥିପାଇଁ ଫାସ୍‌ଟ୍ୟାଗ୍‌ ଜରୁରୀ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଏ ନେଇ ଘୋଷଣା କରିଛନ୍ତି। ବିନା ଫାସ୍‌ଟ୍ୟାଗରେ ଗାଡ଼ି ଚାଳକମାନେ ଟୋଲ ଦାଖଲ କରିପାରିବେ ନାହିଁ ବୋଲି କଡ଼ା ନିଦେ୍‍ର୍ଦଶ ରହିଛି। ତେବେ ଗାଡ଼ିରେ ଫାସ୍‌ଟ୍ୟାଗ ଲଗାଯାଇଥିଲେ ଗାଡ଼ି ଟୋଲଗେଟ୍‌ରେ ପ୍ରବେଶ କରିବା ମାତ୍ରେ ଲେନରେ ଥିବା ଫାସଟ୍ୟାଗ୍‌ ରିଡର ଜରିଆରେ ସ୍ବୟଂକ୍ରିୟ ଭାବେ ଟିକସ୍‌ ସଂଗ୍ରହ କରାଯିବ। ଫାସ୍‌ଟ୍ୟାଗ ଲଗାଇ ନ ଥିଲେ ଚାଳକଙ୍କୁ ଦୁଇଗୁଣା ଅଧିକ ଟିକସ ଦେବାକୁ ପଡ଼ିବ। ତେଣୁ ଡିସେମ୍‍ବର ୧ ପୁର୍ବରୁ ସମସ୍‍ତ ଗାଡ଼ିଚାଳକମାନଙ୍କୁ ନିଜ ନିଜ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲଗାଇବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି।
ଫାସ୍‌ଟ୍ୟାଗକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୧ ତାରିଖ ପର୍ୟ୍ୟନ୍ତ ଏହାକୁ ମାଗଣାରେ ବଣ୍ଟନ କରିବେ। ଏବଂ ଟୋଲଗେଟ୍‌ଗୁଡ଼ିକରେ କେବଳ ଫାସ୍‌ଟ୍ୟାଗ ଜରିଆରେ ହିିଁ ଟୋଲ୍‌ ଆଦାୟ କରାଯିବ। ଏହାକୁ କାର୍ୟ୍ୟକାରୀ କରିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ) ସମସ୍ତ ପ୍ରସ୍ତୁତି କରିଛି। ଏନ୍ଏଚ୍ଏଆଇ ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୩୭ଟି ଟୋଲ ପ୍ଲାଜା ରହିଛି। ଏଗୁଡ଼ିକ ମଧ୍ୟରୁ ୧୭ଟି ଟୋଲ ପ୍ଲାଜାକୁ ଛାଡ଼ି ଅବଶିଷ୍ଟ ଟୋଲ ପ୍ଲାଜାର ଲେନ୍‌ଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ଫାସ୍‌ଟ୍ୟାଗ୍‌ ସୁବିଧା ରହିବ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଫାସ୍‌ଟ୍ୟାଗ ବଣ୍ଟନ ସମୟରେ ସିକ୍ୟୁରିଟି ବାବଦରେ ୧୫୦ ଟଙ୍କା ନିଆଯାଇଥାଏ। କିନ୍ତୁ ଏହାକୁ ପ୍ରୋତ୍ସାହନ ଦେବା ଲାଗି ମାଗଣାରେ ବଣ୍ଟନ କରାଯିବ। ଏହି ଫାସ୍‌ଟ୍ୟାଗ କେବଳ ଏନଏଚଏଆଇର ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ)ରେ ଉପଲବ୍ଧ ହେବ। ଯଦି ଗ୍ରାହକମାନେ ଏହାକୁ ବ୍ୟାଙ୍କରୁ କିଣିବେ ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ। ଅନ୍ୟପଟେ ଯେଉଁ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ରିଡର ଲଗାଯାଇ ନଥିବ ସେହି ଯାନଗୁଡ଼ିକ ଟୋଲ ପ୍ଲାଜା ଲେନ୍‌ରେ ପ୍ରବେଶ କଲେ ଦୁଇଗୁଣ ଟୋଲ ପଇଠ କରିବେ ବୋଲି ଗଡ଼କରୀ କହିଛନ୍ତି।