ଅଧାମାସ ଅନ୍ଧାରରେ

ଦେଶ ସ୍ୱାଧୀନତା ପାଇବାର ୭୨ ବର୍ଷ ବିତିଗଲା। କିନ୍ତୁ ଏବେ ମଧ୍ୟ ବହୁ ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍ ଆଲୋକ ଭଳି ମୌଳିକ ସୁବିଧା ମିଳିପାରିନାହିଁ। ଏଭଳି ଏକ ଗ୍ରାମ ହେଉଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଢେପାଗୁଡ଼ା ଗାଁ। ରାମନାଗୁଡ଼ା ମୁଖ୍ୟରାସ୍ତାରୁ ୧୭ କିଲୋମିଟର ଦୂର ଏହି ଗାଁକୁ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ଦିଆଯାଇନାହିଁ। ଫଳରେ ସଞ୍ଜ ନଇଁଲେ ଏଠାରେ ଲୋକେ ଡିବିରି ଆଲୁଅ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି । ରାତିରେ କିରାସିନି ଓ ଡିବି ଉପରେ ନିର୍ଭର କରିଥାନ୍ତି। ସେମାନଙ୍କୁ ମିଳୁଥିବା କିରାସିନ ସରିଗଲେ ରାତିରାତି ଅନ୍ଧାରରେ ରହିବାକୁ ପଡ଼ୁଛି ଗ୍ରାମବାସୀଙ୍କୁ।

ରାମନାଗୁଡ଼ା ବ୍ଲକର ଅବହେଳିତ ଉକୁମ୍ବା ପଞ୍ଚାୟତ ଅଧୀନରେ ରହିଛି ଢେପାଗୁଡ଼ା। ଏଠାରେ ୪୫ ଆଦିବାସୀ ଓ ଶବର ସମ୍ପ୍ରଦାୟର ପରିବାର ବସବାସ କରୁଛନ୍ତି। ଏହି ଗାଁର ଲୋକସଂଖ୍ୟା ପ୍ରାୟ ୧୬୦ ରୁ ଅଧିକ। ସେହିପରି ଗାଁକୁ ବିଜୁଳି ଲାଇନ ଅଛି ସତ, କିନ୍ତୁ ୨ରୁ ୩ଟା କାଁ ଭାଁ ଘରକୁ ଛାଡ଼ିଦେଲେ ଅନ୍ୟ କୌଣସି ଘରକୁ ବିଜୁଳି ପହଞ୍ଚିପାରିନାହିଁ। ଦୀର୍ଘଦିନ ଧରି ଲୋ ଭୋଲ୍ଟେଜ୍ ସମସ୍ୟାରେ ପେଷି ହେଇଥିବା ବେଳେ ବିଦ୍ୟୁତ୍ ବିଭାଗ ଗ୍ରାମବାସୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନାହିଁ।

ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ସରକାରୀ ରିପୋର୍ଟ କହୁଛି। କେତେକ ଲୋକ ଛୋଟ ଛୋଟ ସୋଲାର ଲ୍ୟାମ୍ପ ଖରିଦ କରି ବ୍ୟବହାର କରୁଛନ୍ତି, ଯେଉଁଥିରେ ଗୋଟିଏ ବଲ୍ବ ଓ ମୋବାଇଲ ଚାର୍ଜ କରୁଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ଗ୍ରାମକୁ ଯିବାକୁ ହେଲେ ଖାଲଖମାରେ ଭର୍ତ୍ତି କାଦୁଅ ପଚପଚ ରାସ୍ତାରେ ଯିବାକୁ ପଡ଼ୁୂଛି।

ରୋଗବୈରାଗ ହେଲେ ଅନେକ ସମୟରେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ। ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ୁଥିବା ବେଳେ ଲୋକେ ମଧ୍ୟ ନିୟମିତ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଖାଦ୍ୟ ସୁରକ୍ଷା ଆଇନ ହେବା ପରେ କିରାସିନି କୋଟା କମିଯାଇଛି। ସେମାନଙ୍କୁ ମିଳୁଥିବା କିରାସିନି ମାସ ଅଧାରେ ସରିଯାଉଛି। ଫଳରେ ଅବଶିଷ୍ଟ ଦିନ ସେମାନଙ୍କୁ ଅନ୍ଧାରରେ ରାତି କାଟିବାକୁ ପଡ଼ୁଛି। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଗାଁକୁ ବିଦ୍ୟତ୍ସେବା ଯୋଗାଣ କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ଡିଣ୍ଡିମ ପିଟୁଥିବା ବେଳେ ଏହିସବୁ ଯୋଜନା ଏଠାରେ ଅପହଞ୍ଚ ପାଲଟିଛି।

ତୁରନ୍ତ ବିଦ୍ୟୁତ୍ସେବା ଯୋଗାଇବା ପାଇଁ ବିଧୁ ଶବର, ତ୍ରିନାଥ ଶବର, ବୁଡ଼ା ଶବର, ଋଷିକେଶ ଶବର କମଳ ଶବଳ, ନୀଳମାଧବ ଶବର, ସୁଲୋଚନା ଶବର, ମାଲେଶ୍ୱରୀ ଶବର, ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ବନମାଳୀ ଶବରଙ୍କୁ ପଚାରିବାରୁ ଏନେଇ ମୁଁ ବାରମ୍ବାର ସମିତି ବୈଠକରେ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳୁ ନଥିବା ସେ କହିଛନ୍ତି। ଏନେଇ ଗୁଣୁପୁର ସାଉଥ୍କୋ ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦଙ୍କୁ ପଚାରିବାରୁ ଯଥାଶୀଘ୍ର ଉକ୍ତ ଗ୍ରାମର ସମସ୍ତ ପରିବାରଙ୍କୁ ବିଜୁଳି ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।