ମୃତକଙ୍କର ହେବନି କରୋନା ପରୀକ୍ଷା, ଆକ୍ରାନ୍ତଙ୍କ ମୃତ୍ୟୁ ତଥ୍ୟ ୪୮ ଘଣ୍ଟାରେ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଏଣିକି ମୃତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ହେବନି। ମୃତଦେହ ହସ୍ତାନ୍ତରରେ ଅହେତୁକ ବିଳମ୍ବକୁ ଏଡ଼ାଇବା ଏବଂ ମୃତକଙ୍କ ପରିବାର ଲୋକଙ୍କୁ ହଇରାଣ ହେବାରୁ ରକ୍ଷା କରିବା ଲାଗି ଏପରି ପଦକ୍ଷେପ ନିଆଯାଇଛି। ଏଥିନିମନ୍ତେ ରାଜ୍ୟ ସରକାର ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟର ଯେଉଁ ସବୁ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି, ସେଠାରେ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଣ୍ଟା ଭିତରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କ ବେଡ୍ ହେଡ୍ ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ, କୋଭିଡ୍ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ଏଥିରେ କୁହାଯାଇଛି।

ରାଜ୍ୟସ୍ତରୀୟ ଡେଥ୍ ଅଡିଟ୍ ଉଦ୍ଦେଶ୍ୟରେ ଏଭଳି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ପ୍ରାଣ ହରାଉଥିବା ସମସ୍ତ କରୋନା ରୋଗୀଙ୍କର ମୃତ୍ୟୂର କାରଣ ଜାଣିବା ପାଇଁ ରାଜ୍ୟସ୍ତରରେ ଅଡିଟ୍ କରାଯିବ। ଆଡ୍‌ମିସନ୍‌ ସମୟରେ ରୋଗୀଙ୍କର ପୂର୍ବରୁ ଥିବା ସମସ୍ତ ରୋଗ ଓ ଲକ୍ଷଣକୁ ରେକର୍ଡ କରିବାକୁ ମଧ୍ୟ ସମସ୍ତ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ରେକର୍ଡ ସହିତ ରୋଗୀଙ୍କର ବିଭିନ୍ନ ପରୀକ୍ଷା ରିପୋର୍ଟକୁ ରାଜ୍ୟସ୍ତରୀୟ କମିଟିରେ ଦାଖଲ କରିବାକୁ କୁହାଯାଇଛି। ରୋଗୀଙ୍କର ଏହିସବୁ ରେକର୍ଡ ଓ ରିପୋର୍ଟ ଦାଖଲ କଲା ବେଳେ ସେମାନଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ନାମ ଓ ତାଙ୍କ ଯୋଗାଯୋଗ ନମ୍ବର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।